ବର୍ଷାରେ ଉବୁଟୁବୁ ହେଲା ମାୟା ନଗରୀ , ଆଜି ବି ପ୍ରବଳ ବର୍ଷିବ
ମୁମ୍ବାଇ: ସହରରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯିବା ପରେ ମଙ୍ଗଳବାର ମୁମ୍ବାଇ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ସୋମବାର ଦିନ ଲଗାତାର ବର୍ଷା ହେତୁ ସହର ଉପକଣ୍ଠରେ ଟ୍ରେନ୍ ସେବା ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଥିବାରୁ ମହାନଗରରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି ।
ସହରୀ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଜୀବନ ଯାତ୍ରା ଭୀଷଣ ପ୍ରଭାବିତ ହୋଇଛି । ତେବେ କାଲି ମଧ୍ୟ ସାରାରାତି ବର୍ଷା ଲାଗି ରହିବା ଫଳରେ ସ୍ଥିତି ଆହୁରି ଜଟିଳ ହୋଇଛି । ଆଜି ମଧ୍ୟ ମୁମ୍ବାଇରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ମହାନଗର ନିଗମ । ଏଥିସହ ଆବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଯାଇଛି ।
ରାସ୍ତାରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଖରାପ ପାଗ ଯୋଗୁଁ ପ୍ରାୟ ୫୦ଟି ବିମାନକୁ ବାତିଲ କରାଯାଇଛି । ମୁମ୍ବାଇର ଜନବହୁଳ ଅଂଚଳ ଯେମିତି କି ଅନ୍ଧେରୀ, କୁର୍ଲା, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଏମିକି ଜଳମଗ୍ନ ହୋଇ ରହିଛି । ଲଗାତର ବର୍ଷା ହୋଇଥିବାରୁ ସହରର ଡ୍ରେନଗୁଡ଼ିକ ଭରି ଯାଇଛି ।

ଜଳ ନିଷ୍କାସନ ପାଇଁ ମୁମ୍ବାଇ ମହାନଗର ନିଗମକୁ ନାକେଦମ ହେବାକୁ ପଡିଛି । ସେପଟେ ପାଣିପାଗ ବିଭାଗର ଆକଳନ ଆଗାମୀ ୩ -୪ ଦିନ ମହାରାଷ୍ଟ୍ରରେ ବର୍ଷା ହେବ । ବର୍ଷାର ବିତ୍ପାତ ଦେଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ଥାଣେ, ପାଲଘର, ରାଏଗଡ, କୋହ୍ଲାପୁର, ସାଙ୍ଗଲି, ସତାରା, ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲାରେ ଏନ୍ଡିଆରଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ପ୍ରବଳ ବର୍ଷାରେ ଲୋକଙ୍କ ଘରେ ପାଣି ପଶିଥିବାବେଳେ ସଡକ, ରେଳଧାରଣା,ସବ୍ୱେଗୁଡିକ ପାଣିରେ ବୁଡିଯାଇଛି । ଲୋକାଲ ଟ୍ରେନଗୁଡିକୁ ବାତିଲ କରାଯାଇଥିବାରୁ ଅଫିସ ଯାଉଥିବା କର୍ମଚାରରୀ ଏବଂ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ମୁମ୍ବଇର ଜୀବନଧାରା କୁହାଯାଉଥିବା ଲୋକାଲ ଟ୍ରେନକୁ ଦୈନିକ ୮୫ ଲକ୍ଷ ଲୋକ ବ୍ୟବହାର କରିଥାନ୍ତି । ତେବେ ଲୋକାଲ ଟ୍ରେନସେବା ବାତିଲ ହୋଇଥିବାରୁ ମୁମ୍ବଇ ଓ ଆଖାପାଖ ଅଞ୍ଚଳର ଏକାଧିକ ଷ୍ଟେସନରେ ଯାତ୍ରୀଙ୍କର ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ମୁମ୍ବଇର ସାନ୍ତାକ୍ରୁଜ୍, ଅନ୍ଧେରୀ, ଯୋଗେଶ୍ୱରୀ, ମାଲାଡ, କାଣ୍ଡିଭାଲି ଓ ଦହିସାର ଅଞ୍ଚଳରେ ଥିବା ସବ୍ୱେରେ ୩ରୁ ୫ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି ।












Click it and Unblock the Notifications