ମୁମ୍ବାଇର ମେୟର ପଦବୀ ନେଇ ଛକାପଞ୍ଝା, ୨୯ ସିନ୍ଦେ ଗୋଷ୍ଠୀ କାଉନସିଲର ହୋଟେଲକୁ ସ୍ଥାନାନ୍ତର
ବିଏମସି ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି । ବିଜେପି ଓ ସିନ୍ଦେଙ୍କ ଶିବସେନା ୧୧୮ ଆସନ ଜିତିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ମୁମ୍ବାଇର ନୂଆ ମେୟର କିଏ ହେବେ । ମେୟର ପଦ ପାଇଁ ଦୌଡ଼ ଆରମ୍ଭ ହୋଇଛି । ମେୟର ପଦବୀ ନେଇ ଛକାପଞ୍ଝା ସ୍ଥିତି ମଧ୍ୟରେ ଶିବସେନାର ସିନ୍ଦେ ଗୋଷ୍ଠୀ ନିଜର ୨୯ ଜଣ ବିଜୟୀ କାଉନସିଲରଙ୍କୁ ମୁମ୍ବାଇର ଏକ ହୋଟେଲରେ ରଖିଛି । ଏହି ପଦକ୍ଷେପ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। କାରଣ ବିଜେପି ନିଜସ୍ୱ ସଂଖ୍ୟାଗରିଷ୍ଠତା ହରାଇଥିବାରୁ, ମେୟର ଚୟନ କରିବା ପାଇଁ ଏହାର ସହଯୋଗୀ ଶିବସେନାର ସମର୍ଥନ ଆବଶ୍ୟକ କରୁଛି। ବିଏମସି ନିର୍ବାଚନରେ ବିଜେପି ୮୯ ଆସନ ଜିତିଛି। ୨୨୭ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟାଗରିଷ୍ଠତା କୁହୁକ ସଂଖ୍ୟା ୧୧୪ ରହିଛି । ଏହି ପରିପ୍ରେକ୍ଷୀରେ, ମେଣ୍ଟ ଅଂଶୀଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସହଯୋଗୀ କିଙ୍ଗ୍ ମେକର ଭୂମିକା ଗ୍ରହଣ କରୁଛନ୍ତି।

ସିନ୍ଦେ ଗୋଷ୍ଠୀକୁ ଶିବସେନା ୟୁବିଟିର କଟାକ୍ଷ
ସିନ୍ଦେ ଗୋଷ୍ଠୀ ଦାବି କରିଛି ଯେ, ହୋଟେଲରେ କାଉନସିଲରଙ୍କ ସମାବେଶ କେବଳ ଉତ୍ସବ ପାଇଁ, କୌଣସି ରାଜନୈତିକ ରଣନୀତି ପାଇଁ ନୁହେଁ। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏହି ପଦକ୍ଷେପକୁ ସମାଲୋଚନା କରି କହିଛନ୍ତି, ବିଜେପି ବିଏମସିରେ ନିଜର ମେୟର ଆଣିବା ପାଇଁ ଶିବସେନାକୁ ଭାଙ୍ଗିବାକୁ ଚେଷ୍ଟା କରିପାରେ। ଉଦ୍ଧବ କହିଛନ୍ତି, ଏହା ଦେଖିବା ଆକର୍ଷଣୀୟ ହେବ ଦୁଇ ଦଳ ଅଢ଼େଇ ବର୍ଷ ପାଇଁ ମେୟର ପଦବୀ ବାଣ୍ଟି ନିଉଛନ୍ତି କି ବିଜେପି ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ପାଇଁ ନିଜର ମେୟର ଆଣୁଛି। ସେ କଟାକ୍ଷ କରି କହିଛନ୍ତି,ଯେଉଁମାନେ ଆମ ଦଳକୁ ଭାଙ୍ଗିଥିଲେ ସେମାନେ ଏବେ ଭୟ କରୁଛନ୍ତି କାଳେ ସେମାନଙ୍କ ନିଜ ଦଳ ମଧ୍ୟ ଭାଙ୍ଗିଯିବ ।
ସମଗ୍ର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଶିବସେନା କାଉନସିଲରଙ୍କ ହୋଟେଲ ରହଣିକୁ ନେଇ କୌଣସି ଭୁଲ ବ୍ୟାଖ୍ୟା କରାଯିବା ଉଚିତ ନୁହେଁ। ସେ କହିଛନ୍ତି କାଉନସିଲରଙ୍କ ଘୋଡା ବେପାରର କୌଣସି ପ୍ରଶ୍ନ ଉଠୁନାହିଁ। ସମସ୍ତ ନିଷ୍ପତ୍ତି ମେଣ୍ଟ ଭିତରେ ପାରସ୍ପରିକ ସହମତିରେ ନିଆଯିବ। ବିଜେପି ନିଜ କାଉନସିଲରମାନଙ୍କର ଏକ ବୈଠକ ମଧ୍ୟ ଡକାଇଛି।












Click it and Unblock the Notifications