ପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ନିର୍ମମ ଭାବେ ହତ୍ୟା
ପାଟନା: ବିହାରର ଦରଭଙ୍ଗା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ମୁଖ୍ୟ ମୁକେଶ ସାହାଣୀଙ୍କ ପିତାଙ୍କୁ ତାଙ୍କ ପୈତୃକ ଘରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ କରାଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ପୋଲିସ୍ ଏନେଇ ଛାନଭିନ୍ ଆରମ୍ଭ କରିଥିବାବେଳେ, କ୍ଷତବିକ୍ଷତ ଅବସ୍ଥାରେ ତାଙ୍କ ଘରୁ ଶବକୁ ଉଦ୍ଧାର କରାଯାଇଛି ।
ଏହି ଘଟଣା ବାହାରକୁ ଆସିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧୀମାନେ ସମାଲୋଚନା କରିଛନ୍ତି । ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିନିମନ୍ତେ ଏସଆଇଟି ଟିମ୍ ଗଠିତ କରିଛି । ବିହାରର ଦରଭଙ୍ଗା ଜିଲ୍ଲାର ଅଫଜଲା ପଞ୍ଚାୟତରେ ଜୀତନ ସାହାଣୀଙ୍କ ପୈତୃକ ଘରେ ଏହି ହତ୍ୟାକାଣ୍ଡ ଘଟିଛି ।
ଜୀତନ ସାହାଣୀଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ଏହି ଘରେ ଏକୁଟିଆ ରହୁଥିଲେ । ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହାର ତଦନ୍ତ କରୁଛି ପୁଲିସ୍ ।

ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବିକାଶଶୀଳ ଇନସାନ ପାର୍ଟିର ନେତା । ତୁରନ୍ତ ଦୋଷଙ୍କୁ ଗିରଫ କରାଯିବା କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଆରଜେଡି ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ୨୪ଘଣ୍ଟାରେ ହତ୍ୟାକରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ବିହାରରେ ଲୋକେ କିପରି ସୁରକ୍ଷିତ ନୁହଁନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।
ଲଗାତାର ଅପରାଧ ବଢି ଚାଲିଥିବା ବେଳେ ନେତାଙ୍କ ବାପାଙ୍କୁ ଘରେ ପଶି ହତ୍ୟା କରାଯାଉଛି । ଯଦି ଅପରାଧୀଙ୍କୁ ଗିରଫ କରାନଯାଏ ତେବେ ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଶାସକ ଦଳ ଘଟଣାକୁ ନିନ୍ଦା କରିଛି ।












Click it and Unblock the Notifications