୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର: ଉତ୍ତର ଭାରତରେ ଜାରି ରହିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ । କଲବଲ କରୁଛି ମୁଣ୍ଡଫଟା ଖରା । ପ୍ରବଳ ଗରମ ଲାଗି ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ୫୦ ଡେଇଁଛି ପାରଦ । ଏଭଳି ଭୟଭ୍କ ତାତି ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।
ଏହାସହିତ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହେବ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ । ଜୁଲାଇରୁ ସେପ୍ଟମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଆଜି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ।

ସେପଟେ ପୁଣି ରାଜ୍ୟର ୪୫ ଡେଇଁଲା ତାପମାତ୍ରା । ଆଜି ଦିନ ସାଢେ ୨ଟା ସୁଦ୍ଧା ୪୫ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତପ୍ତ ସହର । ସମ୍ବଲପୁରରେ ୪୫ . ୨ ଡିଗ୍ରୀ ତାପମାତ୍ରା ରେକର୍ଡ । ସେହିପରି ହିରାକୁଦରେ ୪୪ . ୮ ଡିଗ୍ରୀ, ରାଉରକେଲାରେ ୪୩ . ୬ ଡିଗ୍ରୀ । ରାଜ୍ୟରେ ଉପର ମୁହାଁ ପାରଦ ।
ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତିକୁ ଉପକୂଳରେ ଅହସ୍ୟ ଗୁଳୁଗୁଳି । ଆସନ୍ତା ୪୮ ଘଂଟା ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।












Click it and Unblock the Notifications