ତେଲଙ୍ଗାନା କ୍ୟାବିନେଟ୍ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ମହମ୍ମଦ ଆଝାରୁଦ୍ଦିନ
ପୂର୍ବତନ କ୍ରିକେଟ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା କ୍ୟାବିନେଟ୍ରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ପୂର୍ବତନ କ୍ରିକେଟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଆଝାରୁଦ୍ଦିନ୍ଙ୍କ ନିଯୁକ୍ତି ଫଳରେ କଂଗ୍ରେସ ସରକାରରେ ଦୀର୍ଘଦିନ ହେଲା ଖାଲି ପଡ଼ିଥିବା ମନ୍ତ୍ରୀପଦ ପୂରଣ ହେବା ସହ ମୁସଲମାନ ସମ୍ପ୍ରଦାୟକୁ ପ୍ରଥମ ପ୍ରତିନିଧିତ୍ୱ ମିଳିଛି। ନଭେମ୍ବର ୧୧ରେ ଜୁବିଲି ହିଲ୍ସ ଆସନରେ ଉପନିର୍ବାଚନ ଥିବାରୁ ମୁସଲମାନ ଭୋଟରଙ୍କ ସମର୍ଥନ ହାସଲ ପାଇଁ କଂଗ୍ରେସ ସରକାର ଆଝାରୁଦ୍ଦିନ୍ଙ୍କୁ ମନ୍ତ୍ରୀ କରିଥିବା ବିରୋଧୀ ଦଳ ଅଭିଯୋଗ କରିଛି। ଜୁବିଲି ହିଲ୍ସ ନିର୍ବାଚନ ମଣ୍ଡଳୀରେ ୩୦ ପ୍ରତିଶତ ମୁସଲମାନ ଭୋଟର ରହିଛନ୍ତି। ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ସରକାର ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ ଦେଇ ଏହାର ଉଲ୍ଲଂଘନ କରିଥିବା ଭାଜପା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଆଝାରୁଦ୍ଦିନ ଉପନିର୍ବାଚନ ଲଢ଼ିବାକୁ ଚାହୁଁଥିବାବେଳେ ତାଙ୍କୁ କଂଗ୍ରେସ ଟିକେଟ ଦେଇ ନ ଥିଲା। ଏବେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ତାଙ୍କୁ ମନ୍ତ୍ରୀ କରି ସରକାର ତାଙ୍କ କ୍ଷମତାର ଦୁରୁପଯୋଗ କରିଥିବା ଭାଜପା ମୁଖପାତ୍ର କହିଛନ୍ତି।












Click it and Unblock the Notifications