ଆସନ୍ତା ୨୧-୨୨ରେ ପ୍ରଧାନନ୍ତ୍ରୀଙ୍କ କୁଏତ ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୧ ଓ ୨୨ ତାରିଖ କୁଏତ ଯାତ୍ରା କରିବେ। କୁଏତର ଅମୀର ଶେଖ୍ ମେଶାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସାବାହାଙ୍କ ନିମନ୍ତ୍ରଣକ୍ରମେ ନରେନ୍ଦ୍ର ମୋଦୀ ସେଠାକୁ ଯାଉଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୪୩ ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଏହି ଦେଶ ଗସ୍ତ କରିବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କୁଏତର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ଭାରତ ଓ କୁଏତ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଏହି ବିବୃତିରେ କୁହାଯାଇଛି। ଏତଦ୍ବ୍ୟତୀତ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ସହିତ ମଧ୍ୟ ଶ୍ରୀ ମୋଦୀ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ଓ କୁଏତ ମଧ୍ୟରେପାରମ୍ପରିକ ତଥା ଐତିହାସିକ ବନ୍ଧୁତ୍ୱ ରହିଆସିଛି। କୁଏତର ଶ୍ରେଷ୍ଠ ବ୍ୟବସାୟିକ ଭାଗିଦାରୀଙ୍କ ମଧ୍ୟରେ ଭାରତ ଅନ୍ୟତମ।

ବହୁ ପୁରାତନ କାଳରୁ ଭାରତ ଏବଂ କୁଏତ ମଧ୍ୟରେ ସମ୍ପର୍କ ମଜବୁତ ରହିଆସିଛି, ଯେତେବେଳେ କି କୁଏତର ଅର୍ଥନୈତିକ ବ୍ୟବସ୍ଥା ସାମୁଦ୍ରିକ ବାଣିଜ୍ୟ ଉପରେ ନିର୍ଭରଶୀଳ ଥିଲା। ଭାରତରୁ କୁଏତକୁ ବାଣିଜ୍ୟିକ ଜାହାଜ ମାଧ୍ୟମରେ କାଠ, ଶସ୍ୟ, ବସ୍ତ୍ର ଏବଂ ମସଲା ପଠାଯାଉଥିବା ବେଳେ କୁଏତରୁ ଭାରତକୁ ଖଜୁରୀ, ଆରବୀୟ ଘୋଡା ଏବଂ ମୋତି ପଠାଯାଉଥଥିଲା । ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କର ସ୍ଥିରତାର ପ୍ରତୀକ ଭାବରେ ୧୯୬୧ ପର୍ଯ୍ୟନ୍ତ କୁଏତରେ ଭାରତୀୟ ଟଙ୍କା ଆଇନଗତ ଭାବରେ ପ୍ରଚଳିତ ହେଉଥିଲା ।












Click it and Unblock the Notifications