ଆମେରିକାରେ ମୋଦୀ ରାଷ୍ଟ୍ରପତିଙ୍କ ସହ ଦ୍ଵି-ପାକ୍ଷିକ ଆଲୋଚନା, ମିଳିତ ପ୍ରେସ ମିଟକୁ କଲେ ସମ୍ବୋଧନ
ୱାଶିଂଟନ ଡିସି: ଆଜି ଭାରତ-ଆମେରିକା ଦ୍ଵି-ପାକ୍ଷିକ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ବୈଠକକୁ ବିଶ୍ଵ ସମୁଦାୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭାବରେ ଗ୍ରହଣ କରୁଛନ୍ତି । ଆମେରିକାର ରାଜଧାନୀ ୱାଶିଂଟନରେ ଆଜି ପ୍ରଥମେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ପ୍ରାୟ ଦୁଇ ଘଣ୍ଟା ଆଲୋଚନା କରିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାଥମିକ ଭାବରେ ମାତ୍ର ୩୦ ମିନିଟ ପାଇଁ ସ୍ଥିର ହୋଇଥିବା ଏହି ଆଲୋଚନା ଦୁଇ ଘଣ୍ଟାରୁ ଊର୍ଦ୍ଧ୍ଵ ହୋଇଥିଲା।
ରାଷ୍ଟ୍ରପତି ବାଇଡେନ ଓ ମୋଦୀ ପରିବେଶ, ପୁଞ୍ଜି ନିବେଶ, ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ହୋଇଥିଲା । ଏହି ଦ୍ଵି-ପାକ୍ଷିକ ବୈଠକରେ ଆତଙ୍କବାଦ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭାରତ ଏବଂ ଆମେରିକା ମଧ୍ୟରେ କ୍ରସ ବୋର୍ଡର ଆତଙ୍କବାଦ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ପରୋକ୍ଷ ଭାବରେ ପାକିସ୍ତାନକୁ ସିଧାସଳଖ ଟାର୍ଗେଟ କରିଥିଲେ ମୋଦୀ।

ବାଇଡେନଙ୍କ ସହିତ ବାର୍ତ୍ତାଳାପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ଵାଇଟହାଉସରେ ବାଇଡେନଙ୍କ ସହିତ ମିଳିତ ପ୍ରେସ ମିଟକୁ ସମ୍ବୋଧିତ କରିଥିଲେ। ଏଥିରେ ବାଇଡେନ ଏବଂ ମୋଦୀ ଉଭୟ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ପ୍ରେସ ମିଟରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ର ଆମ ଡିଏନଏରେ ରହିଛି । ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୋଦୀ କହିଥିଲେ ଯେ, ଆମେ ପରିବେଶ ସୁରକ୍ଷା ପାଇଁ ସବୁଠାରୁ ଦାୟିତ୍ଵବାନ ଭାବରେ କାର୍ଯ୍ୟରତ ଅଛୁ। ଏହାପରେ ମୋଦୀ ଆମେରିକା କଂଗ୍ରେସ ବା ସଂସଦକୁ ସମ୍ବୋଧିତ କରିବା ପାଇଁ ଅଗ୍ରସର ହୋଇଥିଲେ।
ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନାହାଁନ୍ତି, ତେଣୁ ହ୍ୱାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ପ୍ରଶ୍ନର ଉତ୍ତର ଦେବା ନେଇ ଏହା ପ୍ରଥମ ଘଟଣା ।ପିଏମ ମୋଦୀ ୯ବର୍ଷରେ ୧୧ ଟି ବିଦେଶୀ ସଂସଦକୁ ସମ୍ବୋଧିତ କରିଛନ୍ତି । ସେ ଦ୍ୱିତୀୟ ଥର ପାଇଁ ଆମେରିକା ସଂସଦକୁ ସମ୍ବୋଧିତ କରିବେ । ଏହାପୂର୍ବରୁ ସେ ୨୦୧୬ ରେ ଆମେରିକା ସଂସଦକୁ ସମ୍ବୋଧିତ କରିଥିଲେ । ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ପରିଗଣିତ ହୋଇଛନ୍ତି ।












Click it and Unblock the Notifications