ପାକିସ୍ତାନକୁ ଖୋଲା ଚେତାବନୀ ଦେଲେ ମିଥୁନ, 'ମୁଣ୍ଡ ଖରାପ କଲେ ବ୍ରହ୍ମୋସ୍ ପକାଇ ଦେବୁ'
ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଦିବା ନିଦ୍ରାରେ ବିଳିବିଳେଇବା ପରି ମନ୍ତବ୍ୟ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇଛନ୍ତି, ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖେ ଏବଂ ସିନ୍ଧୁ ନଦୀରେ ବନ୍ଧ ନିର୍ମାଣ କରିବାକୁ ଚେଷ୍ଟା କରେ, ତେବେ ପରିସ୍ଥିତି ଗୁରୁତର ହୋଇପାରେ। ଏହା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବ ବୋଲି କହି ବୃଥା ଆସ୍ପର୍ଦ୍ଧା ଦେଖାଇଛନ୍ତି।
ତାଙ୍କର ଏଭଳି ଧମକ ଉପରେ ପ୍ରତିକ୍ରିୟା ଦେଇ ଅଭିନେତାରୁ ଭାରତୀୟ ଜନତା ପାର୍ଟିର ନେତା ହୋଇଥିବା ମିଥୁନ ଚକ୍ରବର୍ତ୍ତୀ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଚେତାବନୀକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏମିତି କଥା କହିବେ ଏବଂ ଆମର ମୁଣ୍ଡ ଖପୁରୀ ବିଗିଡ଼ିଗଲେ ଆମେ ଗୋଟିଏ ପରେ ଗୋଟିଏ ବ୍ରହ୍ମୋସ୍ ପକାଇବୁ । ପାକିସ୍ତାନ ଜନତା ପାଇଁ ମୁଁ କିଛି କହିବାକୁ ଚାହୁଁ ନାହିଁ । ପାକିସ୍ତାନର ଜନତା ବହୁତ ଭଲ ଲୋକ, ସେମାନେ ଯୁଦ୍ଧ ଚାହାଁନ୍ତି ନାହିଁ । କିନ୍ତୁ ତାଙ୍କର ନେତା ଯଦି କହିବା ଚାଲୁ ରଖିବେ ତେବେ ଆମର ମୁଣ୍ଡ ଖରାପ ହୋଇଯିବ । ପୁଣି ବ୍ରହ୍ମୋସ୍ ଚାଲିବ । ଯଦି କିଛି ନ ହେବ ତେବେ ଆମେ ଡ୍ୟାମ୍ ବନାଇବୁ ଏବଂ ୧୪୦ କୋଟି ଲୋକ ପରିସ୍ରା କରିବେ । ଗୁଳି ଚାଲିବ ନାହିଁ । ପରିସ୍ରାରେ ହିଁ ପାକିସ୍ତାନରେ ସୁନାମୀ ଆସିବ ବୋଲି ଅତି ତାଚ୍ଛଲ୍ୟ କରିଛନ୍ତି ମିଥୁନ ।

ସୂଚନାଯୋଗ୍ୟ, ବିଲାୱଲ ଭୁଟ୍ଟୋ ସିନ୍ଧୁ ନଦୀ ଉପରେ ଏକ ଟିପ୍ପଣୀ ଦେଇଥିଲେ, ସିନ୍ଧୁ ନଦୀ ଉପରେ ଭାରତ ଯଦି ଡ୍ୟାମ୍ ବନାଏ, ତାହା ପାକିସ୍ତାନର ଜଳ ସୁରକ୍ଷା ପାଇଁ ବିପଦ ଅଟେ। ପାକିସ୍ତାନର "ଇତିହାସ, ସଂସ୍କୃତି ଓ ସଭ୍ୟତା" ଉପରେ, ବିଶେଷତଃ ସିନ୍ଧ ଉପରେ ଆକ୍ରମଣ ବୋଲି ଅଭିହିତ କରିଥିଲେ। ଏହା ପ୍ରଥମ ଥର ନୁହେଁ ଯେ ବିଲାୱଲ ପୂର୍ବରୁ ମଧ୍ୟ ଏଭଳି ଚେତାବନୀ ଦେଇଥିଲେ। ଜୁନ୍ ମାସରେ ସେ ପାକିସ୍ତାନର ସଂସଦରେ କହିଥିଲେ ଯେ ଯଦି ସିନ୍ଧୁ ଜଳର ଅଂଶ ଦିଆଯାଏ ନାହିଁ, ତେବେ ଦେଶ ଯୁଦ୍ଧକୁ ଓହ୍ଲାଇବ।
ଭାରତ ଏପ୍ରିଲ ମାସରେ ୧୯୬୦ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ଏହା ପୂର୍ବରୁ, ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀର ଭାରତକୁ ପରମାଣୁ ଧମକ ଦେଇ କହିଥିଲେ ଯେ ଅସ୍ତିତ୍ୱ ସଙ୍କଟ ସମୟରେ ଇସଲାମାବାଦ ନିଜର ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ। ଭାରତ ସିନ୍ଧୁ ନଦୀ ଉପରେ ଡ୍ୟାମ୍ ବନାଇଲେ ତାହାକୁ ମିସାଇଲରେ ନଷ୍ଟ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ।












Click it and Unblock the Notifications