ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ ରହିଛି। ଏହି ବନ୍ଧୁମାନଙ୍କ ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ଖବରଦାତା ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବେ ମାନ୍ୟତା ପ୍ରଦାନ କରିବା ତଥା ପେନ୍ସନ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।
ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଯାହାର ବଡ ଶିକାର ହୋଇଥିଲେ ସାମ୍ବାଦିକ। ବାକ୍ ସ୍ୱାଧୀନତାକୁ ସଂଶୋଧନ କରାଗଲା, ଯେଉଁ ସଂଶୋଧନ ଥିଲା ସମାଲୋଚନାରୁ ବଞ୍ଚିବା ପାଇଁ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଓଡ଼ିଶାରେ ନୌସେନା ଦିବସ ପାଳନ ହୋଇଛି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମଧ୍ୟ ଏଠାରେ ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ଥିବା ସମ୍ଭାବନାକୁ ଉପଯୋଗ କରିବା ସହ ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବା ସାମ୍ବାଦିକମାନଙ୍କର ଦାୟିତ୍ୱ ହେଉ। କଳାହାଣ୍ଡି ଜିଲ୍ଲାରେ ଦୁଇ ପୁଅ ଝିଅ ଇଞ୍ଜିନିୟରିଂ ପଢ଼ି ସାରିବା ପରେ ଛେଳି ଫାର୍ମ କରିଛନ୍ତି ଏହି ବିଷୟକୁ ନେଇ ଆମେ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଦରକାର।
ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ଅଛି ଯାହା ଫଳରେ ଓଡିଶା ବୈଭବଶାଳୀ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ। ଆମର ବୈଭବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସାମ୍ବାଦିକ ବନ୍ଧୁମାନେ ଆଗାମୀ ଦିନରେ ନିରନ୍ତର ପ୍ରୟାସ ଜାରି ରଖିବେ। ୨୦୩୬ ଓ ୨୦୪୭ ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ ତିଆରି କରିବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବଡ ଭୂମିକା ରହିବ। ଅଧିକାର ସେତେବେଳେ ପୂରା ହେବ, ଯେତେବେଳେ ଜଣେ ଦାୟିତ୍ୱ ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ। ଆମେ କଳିଙ୍ଗ ଯୁଦ୍ଧ ଲଢିଥିଲୁ। କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଞ୍ଚି ବିଜୟ କରିଥିଲେ। ରାଜା କପିଳେନ୍ଦ୍ର ଦେବଙ୍କ ବିଶାଳ ସାମ୍ରାଜ୍ୟ ଗୋଦାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ବିଶୁ ମହାରଣାଙ୍କ ଦ୍ୱାରା କୋଣାର୍କ ମନ୍ଦିର ନିର୍ମାଣ ହୋଇଥିଲା। କୋଣାର୍କ ମନ୍ଦିରରେ ମୁଣ୍ଡି ମାରି ଧର୍ମପଦ ବାରଶହ ବଢେଇଙ୍କ ଜୀବନ ରକ୍ଷା କରିଥିଲେ। ଓଡ଼ିଶାର ବୀରତ୍ୱ ଏବଂ ଓଡ଼ିଆ ଜାତିର ସମ୍ପନ୍ନତା ଏବଂ ବୁଦ୍ଧିକୁ ପ୍ରତିଫଳିତ କରୁଛି।












Click it and Unblock the Notifications