ବଡ଼ ଅଘଟଣ ପୂର୍ବରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ମଝି ଆକାଶରେ ଥିବା ବେଳେ ହଠାତ୍ ବିମାନରୁ ତେଲ ଲିକ ହେଲା। କ୍ରୁ ଏହାକୁ ଚିହ୍ନଟ କରିବା ପରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଲେ। ବିମାନରେ ୧୬୬ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିବାରୁ ସମସ୍ତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲା। କିନ୍ତୁ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସମସ୍ତେ ସୁରକ୍ଷିତ ରହିଛନ୍ତି। ବିମାନଟି ବାରାଣସୀ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଛି। ଇଣ୍ଡୋଗର ଗୋଟିଏ ବିମାନ(Flight) ସହ ଏପରି ଘଟଣା ଘଟିଛି। ବିମାନଟି କୋଲକାତାରୁ ଶ୍ରୀନଗର ଯାଉଥିଲା। ପାଇଲଟ ବିମାନକୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନେଉଥିବା ବେଳେ କ୍ରୁ ସଦସ୍ୟ ପ୍ରଥମେ ଏଥିରୁ ତେଲ ଲିକ ହେଉଥିବା ଦେଖିବାକୁ ପାଇଥିଲା। ଏହି ଖବର ପାଇଲଟଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ତୁରନ୍ତ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିଥିଲେ।

କଣ୍ଟ୍ରୋଲ ରୁମ ସହାୟତାରେ ଶ୍ରୀନଗର ଯାଉଥିବା ବିମାନଟି ବାରାଣସୀ ଅଭିମୁଖେ ଉଡ଼ାଣ ଭରିଥିଲା। ଦିନ ୪.୧୦ରେ ଏହା ସୁରକ୍ଷିତ ଭାବେ ବାରାଣସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଛି। ଏହାପରେ ୬ଇ-୬୯୬୧ ବିମାନରେ ଥିବା ସମସ୍ତ ୧୬୬ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଏହି ଘଟଣାରେ କେହି ବି ଆହତ ହୋଇ ନାହାନ୍ତି।
ବାରାଣସୀ ପୁଲିସ୍ ଓ ଏୟାରପୋର୍ଟ ଅଧିକାରୀଙ୍କ କହିବା କଥା ଯେ ପାଇଲଟ ତେଲ ଲିକ୍ ସମ୍ପର୍କରେ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଜଣାଇଥିଲେ। ଏହାପରେ ଏଟିସି ଜରୁରୀ ଅବତରଣ ପାଇଁ ବିମାନକୁ ଅନୁମତି ଦେଇଥିଲେ। ଏହାପରେ ପାଇଲଟ ଅତ୍ୟନ୍ତ ସତର୍କତାର ସହ ବିମାନକୁ ରନ ୱେରେ ଲ୍ୟାଣ୍ଡ କରାଇଥିଲେ।
ବିମାନଟି ଲ୍ୟାଣ୍ଡ ହେବା ପରେ ଏୟାରପୋର୍ଟ ଅଧିକାରୀ ଓ ଟେକ୍ନିକାଲ ଟିମ ଘଟଣାର ତଦନ୍ତ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଓ ଏୟାରପୋର୍ଟରେ ସେବା ସ୍ୱାଭାବିକ ଢଙ୍ଗରେ ଚାଲିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ଇଣ୍ଡିଗୋ(Indigo) ବିମାନରେ ତ୍ରୁଟି ସମାଧାନ ପରେ ଏହା ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି।












Click it and Unblock the Notifications