ମୀନାକ୍ଷୀଙ୍କ ପ୍ରାର୍ଥିପତ୍ର ଖାରଜ, କଂଗ୍ରେସକୁ ଝଟ୍‌କା

ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ରାଜ୍ୟର ତିନିଟି ଆସନ ପାଇଁ ଜୁନ୍ ୧୮ରେ ଭୋଟ ଗ୍ରହଣ ହେବାକୁ ଯାଉଛି। ଏହି ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ରକୁ ନିର୍ବାଚନ ଅଧିକାରୀ ଖାରଜ କରିଦେଇଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ମୀନାକ୍ଷୀ ଦେଇଥିବା ସତ୍ୟପାଠରେ ତାଙ୍କର ଅପରାଧିକ ତଥ୍ୟକୁ ଲୁଚାଇଥିଲେ। ଏ ସମ୍ପର୍କରେ ବିଜେପି ପକ୍ଷରୁ ଅଭିଯୋଗ କରାଯିବା ପରେ ନିର୍ବାଚନ ଅଧିକାରୀ (ରିଟର୍ଣ୍ଣି ଅଫିସର) ମୀନାକ୍ଷୀଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଦେଇଛନ୍ତି।

Meenakshi s

ବିଜେପି ଅଭିଯୋଗ କରିଥିଲା ଯେ ମୀନାକ୍ଷୀଙ୍କ ନାମରେ ତେଲଙ୍ଗାନା କୋର୍ଟରେ ବିଚାରାଧୀନ ମାମଲାକୁ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ନିୟମ ଅନୁଯାୟୀ ଏହି ତଥ୍ୟକୁ ସତ୍ୟପାଠରେ ଉଲ୍ଲେଖ କରିବା ବାଧ୍ୟତାମୂଳକ। ତେଣୁ ତଥ୍ୟ ଲୁଚାଇବା କାରଣରୁ ମୀନାକ୍ଷୀଙ୍କ ପ୍ରାର୍ଥିପତ୍ର ଖାରଜ କରାଯାଉ। ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ କଂଗ୍ରେସ ଏହି ନିର୍ବାଚନରେ ଆଉ ପ୍ରାର୍ଥୀ ଦେଇପାରିବ ନାହିଁ। ଫଳରେ ଏହି ନିର୍ବାଚନରେ ବିଜେପି ଦେଇଥିବା ଏହାର ତୃତୀୟ ପ୍ରାର୍ଥୀ ମହେଶ ଖେୱାଟଙ୍କ ବିଜୟ ନିଶ୍ଚିତ ହୋଇଛି।
ମୀନାକ୍ଷୀଙ୍କ ପ୍ରାର୍ଥିପତ୍ର ଖାରଜ ହେବା ପରେ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଭେଟିଛନ୍ତି। କଂଗ୍ରେସ ପ୍ରତିନିଧି ଦଳୀୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ କରାଯିବାକୁ ନେଇ ଇସିଆଇଙ୍କ ନିକଟରେ ଆପତ୍ତି କରିଛନ୍ତି। ଏହା ପରେ କଂଗ୍ରେସ ପ୍ରତିନିଧି ଦଳ ନିର୍ବାଚନ ସଦନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମେ କଂଗ୍ରେସ ପ୍ରତିନିଧିଙ୍କୁ ଇସିଆଇଙ୍କ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ମିଳି ନଥିଲା। ସେମାନଙ୍କୁ କୁହାଯାଇଥିଲା ସନ୍ଧ୍ୟା ୭ଟା ହୋଇଥିବାରୁ ନିର୍ବାଚନ ଅଧିକାରୀମାନେ କାମ ସାରି ଘରକୁ ପଳାଇଲେଣି। ପରେ ପୁଲିସ ସହ ଆଲୋଚନା ପରେ ବେଣୁଗୋପାଳ ଓ ଭୁପେଶ ବଘେଲଙ୍କୁ କମିସନଙ୍କ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ଦିଆଯାଇଥିଲା। କଂଗ୍ରେସ କହିଛି ଯେ ମୀନାକ୍ଷୀଙ୍କ ପ୍ରାର୍ଥିପତ୍ର ନାକଚ କରାଯିବାର କୌଣସି ଯଥାର୍ଥତା ନାହିଁ। ମଧ୍ୟପ୍ରଦେଶ ବିଧାନସଭା ବିରୋଧୀ ଦଳ ନେତା ଉମାଙ୍ଗ ସିଙ୍ଘହାର ଓ ଅନ୍ୟମାନେ କହିଛନ୍ତି ଯେ ମୀନାକ୍ଷୀଙ୍କ ନାମରେ କୌଣସି ଫୌଜଦାରୀ ମାମଲା ନାହିଁ। ତେଣୁ ଏହାକୁ ସତ୍ୟପାଠରେ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ। କଂଗ୍ରେସ କହିଛି ଯେ ମୀନାକ୍ଷୀଙ୍କ ନାମରେ କୋର୍ଟରେ କୌଣସି ମାମଲା ରୁଜୁ ହୋଇ ନାହିଁ। ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବି ସମ୍ପର୍କିତ ଏକ ମାମଲାରେ କୋର୍ଟ କେବଳ ମୀନାକ୍ଷୀଙ୍କୁ ଏକ ନୋଟିସ ଦେଇଛନ୍ତି। ଏହି ନୋଟିସ ଉପରେ ମୀନାକ୍ଷୀଙ୍କ ଓକିଲ କୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ।
ବିଜେପି ଅଭିଯୋଗ କରିଛି ଯେ ୨୦୨୫ ଅଗଷ୍ଟ ୨୦ରେ ମୀନାକ୍ଷୀ ଓ ଅନ୍ୟ କେତେକଙ୍କ ବିରୋଧରେ ଶ୍ରୀଲତା ନାମକ ଜଣେ ମହିଳା ହାଇଦରାବାଦର ମେଟ୍ରୋପଲିଟାନ କୋର୍ଟରେ ବିଏନଏସ୍‌ର ଧାରା ୩୫୬, ୬୧, ୪୫, ୪୬, ୩୫୧ (୨), ୩(୫) ଓ ୭୯ ଆଧାରରେ ମାମଲା ରୁଜୁ କରିଥିଲେ। ମାମଲା ଆଧାରରେ ୨୦୨୫ ସେପ୍ଟେମ୍ବର ୧୭ରେ କୋର୍ଟ ମୀନାକ୍ଷୀ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲେ। ଅକ୍ଟୋବର ୨୪ରେ ମୀନାକ୍ଷୀଙ୍କ ଓକିଲ କୋର୍ଟରେ ଉପସ୍ଥିତ ରହି ନିଜ ପକ୍ଷ ରଖିବା ପୂର୍ବକ ଅଭିଯୋଗ ସବୁକୁ ଖଣ୍ଡନ କରିଥିଲେ। ମାତ୍ର ନଭେମ୍ବର ୧୭ରେ କୋର୍ଟ ମୀନାକ୍ଷୀଙ୍କ ଯୁକ୍ତିକୁ ଅଗ୍ରାହ୍ୟ ପୂର୍ବକ ମାମଲା ଚାଲୁ କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ମାମଲା କୋର୍ଟରେ ବିଚାରାଧୀନ ରହିଛି।
ବିଜେପିର ଅଭିଯୋଗ ପରେ ରିଟର୍ଣ୍ଣିଂ ଅଫିସର ମୀନାକ୍ଷୀଙ୍କ ସତ୍ୟପାଠ ଯାଞ୍ଚ କରିଥିଲେ ଓ ଉକ୍ତ ତଥ୍ୟ ସତ୍ୟପାଠରେ ନଥିବା ଜାଣିବାକୁ ପାଇଥିଲେ। ପରେ ଆଜି ସନ୍ଧ୍ୟା ୬ଟା ଯାଏ ମୀନାକ୍ଷୀଙ୍କୁ ଏହାର ଜବାବ ଦେବା ପାଇଁ ସମୟ ଦେଇଥିଲେ। ମାତ୍ର ମୀନାକ୍ଷୀଙ୍କ ଜବାବ ସନ୍ତୋଷଜନକ ନଥିବା ଫଳରେ ଜନପ୍ରତିନିଧି ଆଇନ ୧୯୫୧ ଅନୁଯାୟୀ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଦେଇଥିଲେ।
ବିଜେପିର ତୃତୀୟ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ
ଭୋପାଳ, ୯ା୬: ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଦୁଇଟି ଆସନ ମିଳିବାକୁ ଥିବାବେଳେ ତୃତୀୟ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ମହେଶ ଖେୱାଟଙ୍କୁ ପ୍ରାର୍ଥୀ କରିଛି। ମୀନାକ୍ଷୀଙ୍କ ପ୍ରାର୍ଥିପତ୍ର ନାକଚ ପରେ ମହେଶଙ୍କ ବିଜୟ ନିଶ୍ଚିତ ହୋଇଛି। ତେବେ ମୀନାକ୍ଷୀଙ୍କ ପ୍ରାର୍ଥିପତ୍ର ନାକଚ ହେବା ପୂର୍ବରୁ ବିଜେପି ଅନ୍ୟ ବିଧାୟକଙ୍କ ସମର୍ଥନ ତଥା କ୍ରସ ଭୋଟିଂ ଆଶାରେ ତୃତୀୟ ପ୍ରାର୍ଥୀ ଦେଇଥିଲା। କାରଣ ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ୧୬୪ ବିଧାୟକ ଅଛନ୍ତି। ଜଣେ ପ୍ରାର୍ଥୀ ବିଜୟୀ ହେବା ଲାଗି ୫୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏହି ଆଧାରରେ ବିଜେପିର ଦୁଇ ପ୍ରାର୍ଥୀ ବିଜୟୀ ହେବା ପରେ ଆଉ ୪୮ଟି ଭୋଟ ବଳକା ରହିବ। କ୍ରସ ଭୋଟିଂ ମାଧ୍ୟମରେ ୧୦ଟି ଭୋଟ ଯୋଗାଡ କରିବା ଯୋଜନାରେ ବିଜେପି ରହିଥିଲା। ଅନ୍ୟପଟେ କଂଗ୍ରେସ ପାଖରେ ୬୩ ବିଧାୟକ ଥିବାବେଳେ ଏହାର ଜଣେ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ଥିଲା। ଏବେ ମୀନାକ୍ଷୀଙ୍କ ପ୍ରାର୍ଥିପତ୍ର ନାକଚ ହେବାରୁ ବିଜେପିକୁ ତିନିଟି ଯାକ ଆସନ ମିଳିଯିବ। ବିଜେପିର ଘୋଡା ବେପାରରୁ ଦୂରେଇ ରଖିବା ଲାଗି କଂଗ୍ରେସ ଏହାର ସମସ୍ତ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କରିବାକୁ ଯୋଜନା କରି ଏକ ସ୍ବତନ୍ତ୍ର ଚାର୍ଟାଡ଼ ବିମାନରେ ନେବା ବ୍ୟବସ୍ଥା କରିଥିଲା। ମାତ୍ର ​‌ଶେଷ ମୁହୂର୍ତ୍ତରେ ଏହି ସ୍ଥାନାନ୍ତର କାର୍ଯ୍ୟକ୍ରମକୁ କଂଗ୍ରେସ ପ୍ରତ୍ୟାହାର କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+