ସଂସଦରେ ଅନୁରାଗ-ରାହୁଲ-ଅଖିଳେଶ କରୁଛନ୍ତି ନାଟକ, ଜାଣନ୍ତୁ କାହିଁକି ଏମିତି କହିଲେ ମାୟାବତୀ
ଲକ୍ଷ୍ନୌ: ସଂସଦରେ ବିରୋଧୀମାନେ ଜାତିଗତ ଜନଗଣନା ପାଇଁ ନିରନ୍ତର ଦାବି କରୁଛନ୍ତି । ଏ ସମ୍ପର୍କରେ ଭାରତୀୟ ଜନତା ପାର୍ଟିର ହମିରପୁର ସାଂସଦ ଅନୁରାଗ ଠାକୁର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ରାହୁଲ ଦେଶରେ ଜାତିଗତ ଜନଗଣନା ଦାବି କରୁଛନ୍ତି, କିନ୍ତୁ ତାଙ୍କର ଜାତି ଜଣା ନାହିଁ ।
ଅନୁରାଗ ଠାକୁରଙ୍କ ଏହି ମନ୍ତବ୍ୟକୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । କ୍ଷମା ମାଗିବାକୁ ମଧ୍ୟ ଦାବି କରାଯାଇଥିଲା । ତେବେ ରାହୁଲ ଗାନ୍ଧୀ କହିଥିଲେ ଅନୁରାଗ ଠାକୁର କ୍ଷମା ମାଗନ୍ତୁ ତାହା ସେ ଚାହୁଁନାହାନ୍ତି, କିନ୍ତୁ ଜାତିଗତ ଜନଗଣନା କରାଯିବ । ଅପରପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅନୁରାଗ ଠାକୁରଙ୍କ ମନ୍ତବ୍ୟକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ ।
ସେ କ୍ରୋଧରେ ସଂସଦରେ କହିଥିଲେ ଅନୁରାଗ ଠାକୁର କାହାର ଜାତି ପଚାରି ପାରିବେ ନାହିଁ ବୋଲି ଅଖିଲେଶ କହିଥିଲେ । ଆଉ ବର୍ତ୍ତମାନ ଜାତିଗତ ଜନଗଣନା ପ୍ରସଙ୍ଗରେ କଂଗ୍ରେସର ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ସହ ଯୁକ୍ତିତର୍କ କରିଥିବା ବେଳେ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ମାୟାବତୀ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଏକ୍ସରେ ଲେଖିଛନ୍ତି ଗତକାଲି ସଂସଦରେ ଶାସକ ବିଜେପି ତଥା ବିରୋଧୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଚାଲିଥିବା ବିବାଦ କେବଳ ନାଟକ । ଏହାଦ୍ୱାରା ଜାତି ଓ ଜନଗଣନା ସମ୍ବନ୍ଧରେ ଓବିସି ସମ୍ପ୍ରଦାୟକୁ ପ୍ରତାରଣା କରିବାର ଏକ ପ୍ରୟାସ କରାଯାଉଛି । କାରଣ ସେସବୁ ରରାଜନୈତିକ ଦଳର ଇତିହାସ ଓବିସି ବିରୋଧୀ ହୋଇ ରହି ଆସିଛି ।
ଏଭଳି ପରିସ୍ଥିତିରେ ସେମାନଙ୍କୁ ବିଶ୍ୱାସ କରିବା ଠିକ୍ ହେବ ନାହିଁ । ମାୟାବତୀ ଆହୁରି କହିଛନ୍ତି ବହୁଜନ ସମାଜ ପାର୍ଟିର ଉଦ୍ୟମ ଯୋଗୁ ଏଠାରେ କାର୍ଯ୍ୟକାରୀ ହୋଇଥିବା ଓବିସି ସଂରକ୍ଷଣ ପରି ଜାତୀୟ ଜାତି ଜନଗଣନା ହେଉଛି ଏକ ସ୍ୱତନ୍ତ୍ର ଜାତୀୟ ପ୍ରସଙ୍ଗ, ଯାହା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରିବା ଆବଶ୍ୟକ । ଦେଶର ବିକାଶରେ କୋଟି କୋଟି ଗରିବ, ପଛୁଆ ଏବଂ ବହୁଜନଙ୍କର ମଧ୍ୟ ଅଧିକାର ରହିଛି, ଯାହା ପୂରଣରେ ଜାତି ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମାୟାବତି କହିଛନ୍ତି












Click it and Unblock the Notifications