ବିଏସପି ସଂଯୋଜକ ପଦରୁ ପୁତୁରାକୁ ହଟାଇଲେ ମାୟାବତୀ,ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । ଲୋକସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ଗୁଡ଼ିକ କରୁଛନ୍ତି ଜୋରଦାର ରାଲି ଓ ପ୍ରଚାର । ଆଉ ଦେଶରେ ମଧ୍ୟ ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି । ଏହାରି ଭିତରେ ଉତ୍ତର ପ୍ରଦେଶରୁ ଏକ ବଡ଼ ଖବର ସାମନାକୁ ଆସିଛି ।
ବିଏସପି ସୁପ୍ରିମୋ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ବିଏସପିର ନ୍ୟାସନାଲ ସଂଯୋଜକ ପଦରୁ ହଟାଇ ଦେଇଛନ୍ତି । ଏହାସହ କହିଛନ୍ତି ଯେ ଏବେ ଆକାଶ ଆନନ୍ଦ ମୋର ଉତ୍ତରାଧିକାରୀ ନୁହନ୍ତି । ମାୟାବତୀ କହିଛନ୍ତି ଯେ ଆକାଶ ଆନନ୍ଦଙ୍କ ପାଖରେ ପରିପକ୍ୱତାର ଅଭାବ ଅଛି । ଦଳର ବୃହତ୍ତର ସ୍ୱାର୍ଥ କାରଣରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମାୟା କହିଛନ୍ତି । ଆଉ ମାୟାବତୀ ଏକ୍ସରେ ଏହି ଘୋଷଣା କରିଛନ୍ତି ।

ନିଷ୍ପତ୍ତି ସମ୍ପର୍କରେ ମାୟା ନିଜ 'ଏକ୍ସ' ହ୍ୟାଣ୍ଡେଲରେ ସୂଚନା ଦେଇ କହିଛନ୍ତି, 'ବହୁଜନ ସମାଜବାଦୀ ପାର୍ଟି' ଏକ ରାଜନୈତିକ ଦଳ ବ୍ୟତୀତ, ସମ୍ବିଧାନପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଆତ୍ମସମ୍ମାନ ଓ ଆତ୍ମସ୍ୱାଭିମାନ ବିଚାର ସହ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ଆନ୍ଦୋଳନ ମଧ୍ୟ । ଏଥିପାଇଁ କାଂଶୀରାମଜୀ ଏବଂ ମୁଁ ଆମର ସମଗ୍ର ଜୀବନ ଉତ୍ସର୍ଗ କରିଛୁ ।
ଏହି ଆନ୍ଦୋଳନକୁ ଗତି ଦେବା ପାଇଁ ପରବର୍ତ୍ତୀ ପିଢିକୁ ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ଅନ୍ୟ ନେତାଙ୍କୁ ମଧ୍ୟ ନେତୃତ୍ୱ ଦେବା ପାଇଁ ଦଳରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଘୋଷଣା କରାଯାଇଥିଲା । ମାତ୍ର ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆକାଶ ପରିପକ୍ୱ ହେବା ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ୱରୁ ପୃଥକ କରାଯାଉଛି । ମାତ୍ର ଆକାଶଙ୍କ ପିତା ଆନନ୍ଦ କୁମାର ପୂର୍ବପରି ବହୁଜନ ସମାଜବାଦୀ ପାର୍ଟିର ସାଙ୍ଗଠନିକ ଦାୟିତ୍ୱ ବଜାୟ ରଖିବେ ।''












Click it and Unblock the Notifications