ମନ୍ କି ବାତ୍: କ'ଣ କ'ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ' କାର୍ଯ୍ୟକ୍ରମର ଏହା ହେଉଛି ୧୦୬ ତମ ଏପିସୋଡ୍ ।
ପ୍ରଧାନମନ୍ତ୍ରୀ ଅନେକ ବିଷୟରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ,ବନ୍ଧୁଗଣ, ଉତ୍ସବର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଦିଲ୍ଲୀର ଗୋଟିଏ ଖବରରୁ ହିଁ ମୁଁ 'ମନ୍ କି ବାତ୍'କୁ ଆରମ୍ଭ କରିବାକୁ ଚାହୁଁଛି । ଏହି ମାସ ଆରମ୍ଭରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଏଠାରେ କନଟ୍ ପ୍ଲେସ୍ରେ ମାତ୍ର ଗୋଟିଏ ଖଦି ଷ୍ଟୋର୍ରେ ଗୋଟିଏ ଦିନରେ ଲୋକେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବସ୍ତ୍ର କିଣିଛନ୍ତି । ଚଳିତ ମାସରେ ଚାଲିଥିବା ଖଦି ମହୋତ୍ସବ ପୁଣିଥରେ ଏହାର ସମସ୍ତ ପୁରୁଣା ରେକର୍ଡ଼ ଭଙ୍ଗ କରିଦେଇଛି । ଆଉ ଗୋଟିଏ କଥା ଜାଣି ଆପଣଙ୍କୁ ବହୁତ ଭଲ ଲାଗିବ, ଦଶବର୍ଷ ଆଗରୁ ଯେଉଁ ଖଦି ଉତ୍ପାଦଗୁଡ଼ିକର ବିକ୍ରି ବଡ଼ କଷ୍ଟରେ ୩୦ ହଜାର କୋଟି ଟଙ୍କାରୁୁ ମଧ୍ୟ କମ ରହୁଥିଲା, ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ହୋଇଯାଇଛି ।
ଖଦି ବିକ୍ରୟ ବୃଦ୍ଧି ପାଇବାର ଅର୍ଥ ହେଲା ଏହାର ଲାଭ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖକୁ ପହଂଚୁଛି । ଏହି ବିକ୍ରୟର ଲାଭ ଆମ ବୁଣାକାର, ହସ୍ତଶିଳ୍ପ କାରିଗର, ଆମ ଚାଷୀ, ଆୟୁର୍ବେଦିକ ଗୁଳ୍ମ ଲଗାଉଥିବା କୁଟୀର ଉଦ୍ୟୋଗୀ - ସମସ୍ତଙ୍କୁ ମିଳୁଛି । ଆଉ, ଏହାହିଁ ତ ହେଉଛି, ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଶକ୍ତି । ଧିରେ ଧିରେ ଆପଣ ସମସ୍ତ ଦେଶବାସୀଙ୍କ ସମର୍ଥନ ଏଥି ପ୍ରତି ବୃଦ୍ଧି ପାଇଚାଲିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ମୁଁ ମୋର ଆଉ ଗୋଟିଏ ଅନୁରୋଧ ଆପଣମାନଙ୍କ ଆଗରେ ଦୋହରାଇବାକୁ ଚାହୁଁଛି । ଅତ୍ୟନ୍ତ ଆନ୍ତରିକତାର ସହ ଦୋହରାଇବାକୁ ଚାହୁଁଛି । ଆପଣ ଯେତେବେଳେ ବି କୌଣସି ପର୍ଯ୍ୟଟନ, ତୀର୍ଥାଟନ ଉଦ୍ଦେଶ୍ୟରେ ଯାଉଛନ୍ତି, ସେତେବେଳେ ସେଠାକାର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷମାନ ନିଶ୍ଚୟ କିଣନ୍ତୁ । ଆପଣ ନିଜର ସେହି ଯାତ୍ରାର ସମୁଦାୟ ବଜେଟ୍ରୁ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣିବା ପାଇଁ କିଛି ଅଂଶ ନିର୍ଦ୍ଧାରିତ କରିବାକୁ ଅଗ୍ରାଧିକାର ଦିଅନ୍ତୁ । ୧୦ ପ୍ରତିଶତ ହେଉ, ୨୦ ପ୍ରତିଶତ ହେଉ, ଯେତିକି ଆପଣଙ୍କୁ ସୁବିଧା ହେଉଛି, ଲୋକାଲ୍ ଉତ୍ପାଦ କିଣିବାରେ ଏହାକୁ ଖର୍ଚ୍ଚ କରନ୍ତୁ ଏବଂ ସେହି ସ୍ଥାନରେ ହିଁ ଖର୍ଚ୍ଚ କରନ୍ତୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିଥର ପରି ଏଥର ମଧ୍ୟ, ଆମ ପର୍ବପର୍ବାଣୀରେ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆମ ଅଗ୍ରାଧିକାର ରହୁ । ଆମେ ମିଶିକରି ସେହି ସ୍ୱପ୍ନକୁ ପୂରଣ କରିବା । ଆମର ସ୍ୱପ୍ନ ହେଉଛି ଆତ୍ମନିର୍ଭର ଭାରତ । ଏଥର ସେହିଭଳି ବସ୍ତୁ ଦ୍ୱାରା ଘରକୁ ଆଲୋକିତ କରନ୍ତୁ, ଯେଉଁଥିରେ ମୋର କୌଣସି ଦେଶବାସୀର ସ୍ୱେଦର ମହକ ଥିବ, ମୋ ଦେଶର କୌଣସି ଯୁବକର ପ୍ରତିଭା ଥିବ, ସେହି ଜିନିଷ ତିଆରି ହେବାରେ ମୋ ଦେଶବାସୀ ରୋଜଗାର ପାଇଥିବେ! ଆମ ଦୈନନ୍ଦିନ ଆବଶ୍ୟକତାର ଯେକୌଣସି ଜିନିଷ ହେଉ, ଆମେ କେବଳ ଲୋକାଲ୍ ହିଁ କିଣିବା । କିନ୍ତୁ ଆଉ ଗୋଟିଏ କଥା ଉପରେ ଆପଣଙ୍କୁ ଦୃଷ୍ଟି ଦେବାକୁ ହେବ । ଭୋକାଲ୍ ଫର୍ ଲୋକାଲ୍ର ଏହି ଭାବନା କେବଳ ଉତ୍ସବ ସମୟର କିଣାକିଣି ମଧ୍ୟରେ ସୀମିତ ନୁହେଁ, କାରଣ ମୁଁ ଦେଖିଛି ଯେ, ଦୀପାବଳୀ ପାଇଁ ମାଟି ଦୀପ କିଣି ସେ କଥାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖନ୍ତି ଭୋକାଲ୍ ଫର୍ ଲୋକାଲ୍ । ଆରେ ନା! ଇଏ ତ କେବଳ ଆରମ୍ଭ ମାତ୍ର । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଜୀବନର ପ୍ରତ୍ୟେକ ଆବଶ୍ୟକତା - ଏବେ ଆମ ଦେଶରେ ସବୁ କିଛି ଉପଲବ୍ଧ । ଏହି ଦୃଷ୍ଟିଭଙ୍ଗୀ କେବଳ ଉଠାଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ଯାଏଁ ସୀମିତ ନୁହେଁ । ଭାରତ ଆଜି ବିଶ୍ୱର ସବୁଠାରୁ ବଡ଼ ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାକୁ ଯାଉଛି । ଅନେକ ବଡ଼ ବଡ଼ ବ୍ରାଣ୍ଡ ଏଠାରେ ହିଁ ତାଙ୍କ ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି । ଆମେ ଯଦି ସେହି ପ୍ରଡକ୍ଟଗୁଡ଼ିକୁ ଆପଣାଇବା ତାହେଲେ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ପ୍ରୋତ୍ସାହିତ ହେବ । ଏହା ମଧ୍ୟ ପ୍ରକାରାନ୍ତରେ ଭୋକାଲ୍ ଫର୍ ଲୋକାଲ୍ର ଅନୁସରଣ । ଆଉ ହଁ, ଏଭଳି ପ୍ରଡକ୍ଟ କ୍ରୟ କରିବା ସମୟରେ ଆମ ଦେଶର ଗୌରବ ୟୁ.ପି.ଆଇ. ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଦ୍ୱାରା ନେଣଦେଣ କରିବା ପାଇଁ ଆଗ୍ରହୀ ହେବେ, ଏହାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବେ । ଆଉ, ସେହି ବସ୍ତୁ କିମ୍ବା ସେହି କାରିଗର ସହିତ ଉଠାଇଥିବା ସେଲ୍ଫିକୁ ନମୋ ଆପ୍ରେ ମୋ ସହ ଶେୟାର କରିବେ, ଆଉ ତାହା ବି ମେଡ୍ ଇନ୍ ଇଣ୍ଡିଆ- ସ୍ମାର୍ଟଫୋନ ଦ୍ୱାରା । ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛିକୁ ମୁଁ ସାମାଜିକ ଗଣମାଧ୍ୟମରେ ଶେୟାର କରିବି, ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଅନୁପ୍ରାଣିତ ହେବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ଆପଣ ଭାରତରେ ନିର୍ମିତ, ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟଗୁଡ଼ିକ ସହିତ ଦୀପାବଳୀ ପାଳନ କରିବେ, ନିଜ ପରିବାରର ପ୍ରତ୍ୟେକ ଛୋଟ-ବଡ଼ ଆବଶ୍ୟକତା ଲୋକାଲ୍ ଜିନିଷ ଦ୍ୱାରା ପୂରଣ କରିବେ, ତାହେଲେ ଦୀପାବଳୀର ଚମକ ତ ଆହୁରି ବଢ଼ିଯିବ, ତା ସହିତ ସେହି କାରିଗରମାନଙ୍କ ଜୀବନରେ ଗୋଟିଏ ନୂତନ ଦୀପାବଳୀ ଆସିବ, ଜୀବନରେ ଏକ ନବପ୍ରଭାତ ଆସିବ, ସେମାନଙ୍କ ଜୀବନ ସରସ-ସୁନ୍ଦର ହେବ । ଭାରତକୁ ଆତ୍ମନିର୍ଭର କରନ୍ତୁ । ମେକ୍ ଇନ୍ ଇଣ୍ଡିଆ ହିଁ ବାଛନ୍ତୁ, ଯାହାଫଳରେ ଆପଣଙ୍କ ସହିତ ଆହୁରି କୋଟି କୋଟି ଲୋକଙ୍କ ଦୀପାବଳୀ ମଧ୍ୟ ସୁନ୍ଦର ହେବ, ଆନନ୍ଦଦାୟକ ହେବ, ଉଜ୍ଜ୍ୱଳ ହେବ, ଉତ୍ସାହଜନକ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ୩୧ ତାରିଖ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ସେହିଦିନ ଆମେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳନ କରିଥାଉଁ । ଆମେ ଭାରତବାସୀ, ଅନେକ କାରଣରୁ ତାଙ୍କୁ ସ୍ମରଣ କରିଥାଉଁ ଏବଂ ସଶ୍ରଦ୍ଧ ପ୍ରଣାମ କରିଥାଉଁ । ସବୁଠାରୁ ବଡ଼ କାରଣ ହେଉଛି ଦେଶର ୫୮୦ରୁ ଅଧିକ ଦେଶୀୟ ରାଜ୍ୟଗୁଡ଼ିକୁ ଯୋଡ଼ିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି । ଆମେ ଜାଣୁ ଯେ, ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଏକତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥର ଏହି ସମାରୋହ ବ୍ୟତୀତ, ଦିଲ୍ଲୀଠାରେ କର୍ତ୍ତବ୍ୟପଥରେ ଗୋଟିଏ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଆପଣଙ୍କ ମନେ ଥିବ, ବିଗତ ଦିନରେ ମୁଁ ଦେଶର ପ୍ରତ୍ୟେକ ଗାଁରୁ ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିବା ପାଇଁ ଅନୁରୋଧ କରିଥିଲି । ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ କଳସରେ ରଖାଗଲା ଏବଂ ଅମୃତ କଳସ ଯାତ୍ରାର ଆୟୋଜନ କରାଗଲା । ଦେଶର କୋଣ ଅନୁକୋଣରୁ ସଂଗୃହିତ ଏହି ମାଟି, ଏହି ହଜାର ହଜାର ଅମୃତ କଳସ ଯାତ୍ରା ଏବେ ଦିଲ୍ଲୀ ପହଂଚିବ । ଏହି ଦିଲ୍ଲୀରେ ସେହି ମାଟିକୁ ଗୋଟିଏ ବିରାଟ ଭାରତ କଳସରେ ପକାଯିବ ଏବଂ ସେହି ପବିତ୍ର ମାଟିରେ ଦିଲ୍ଲୀରେ ଅମୃତ ବାଟିକାର ନିର୍ମାଣ ହେବ । ଏହା ଦେଶର ରାଜଧାନୀର ହୃଦୟରେ ଅମୃତ ମହୋତ୍ସବର ଭବ୍ୟ ଐତିହ୍ୟ ରୂପେ ରହିଥିବ । ଅକ୍ଟୋବର ୩୧ ତାରିଖ ଦିନ ହିଁ ସମଗ୍ର ଦେଶରେ ବିଗତ ଅଢ଼େଇ ବର୍ଷ ଧରି ଚାଲିଥିବା ଆଜାଦୀ କା ଅମୃତ ମହୋତ୍ସବର ସମାପନ ହେବ । ଆପଣ ସମସ୍ତେ ମିଶି ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ସମୟ ଧରି ଚାଲିଥିବା ମହୋତ୍ସବମାନଙ୍କ ମଧ୍ୟରେ ଅନନ୍ୟ କରିଦେଲେ । ଆମ ସୈନିକମାନଙ୍କ ସମ୍ମାନ ହେଉ କି ହର୍ ଘର୍ ତିରଙ୍ଗା, ସ୍ୱାଧୀନତାର ଅମୃତ ମହୋତ୍ସବରେ ଲୋକେ ନିଜର ସ୍ଥାନୀୟ ଇତିହାସକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଏହି ସମୟରେ ସାମୁଦାୟିକ ସେବାର ମଧ୍ୟ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି ।
ବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କୁ ଆଉ ଗୋଟିଏ ଖୁସି ଖବର ଶୁଣାଉଛି, ବିଶେଷକରି ମୋର ଯୁବବର୍ଗର ପୁଅ-ଝିଅମାନଙ୍କୁ, ଯେଉଁମାନଙ୍କ ମନରେ ଦେଶ ପାଇଁ କିଛି କରିବାର ଉତ୍ସାହ ଭରିରହିଛି, ସ୍ୱପ୍ନ ରହିଛି, ସଂକଳ୍ପ ରହିଛି। ଏହି ଖୁସି ଖବର ଦେଶବାସୀମାନଙ୍କ ପାଇଁ ତ ନିଶ୍ଚିତ ଭାବେ ଉଦ୍ଦିଷ୍ଟ, କିନ୍ତୁ ମୋର ଏହି ଯୁବବନ୍ଧୁମାନଙ୍କ ପାଇଁ ବିଶେଷଭାବେ ରହିଛି । ଦୁଇ ଦିନ ପରେ ହିଁ, ଅକ୍ଟୋବର ୩୧ ତାରିଖରେ, ସର୍ଦ୍ଦାର ସାହେବଙ୍କ ଜନ୍ମଦିନରେ ହିଁ ଗୋଟିଏ ବହୁତ ବଡ଼ ଜାତୀୟସ୍ତରର ସଂଗଠନର ମୂଳଦୁଆ ପଡ଼ିବାକୁ ଯାଉଛି । ଏହି ସଂଗଠନର ନାମ ହେଉଛି "ମେରା ଯୁବା ଭାରତ" ବା ମାଇ୍ ଭାରତ । ମାଇ୍ ଭାରତ ସଂଗଠନ ଭାରତର ଯୁବବର୍ଗଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ ଆୟୋଜନରେ ନିଜର ସକ୍ରିୟ ଭୂମିକା ତୁଲାଇବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ବିକଶିତ ଭାରତର ନିର୍ମାଣରେ ଭାରତର ଯୁବ ଶକ୍ତିକୁ ଏକଜୁଟ୍ କରିବାର ଗୋଟିଏ ଅନନ୍ୟ ପ୍ରୟାସ । "ମେରା ଯୁବା ଭାରତ"ର ୱେବ୍ସାଇଟ୍ MYBharat ମଧ୍ୟ ଆରମ୍ଭ ହେବାକୁ ଯାଉଛି ।
ମୁଁ ଯୁବପିଢ଼ିଠାରୁ ଆଶା କରିବି, ବାରମ୍ବାର ଚାହିଁବି ଯେ, ଆପଣ ସମସ୍ତେ ମୋ ଦେଶର ନବଯୁବକ, ଆପଣ ସମସ୍ତେ ମୋ ଦେଶର ପୁଅଝିଅ MYBharat.Gov.inରେ ପଞ୍ଜିକରଣ କରନ୍ତୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ Sign Up କରନ୍ତୁ । ଅକ୍ଟୋବର ୩୧ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧିଜୀଙ୍କ ପୁଣ୍ୟତିଥି । ମୁଁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୋର ପରିବାରଜନ, ଆମର ସାହିତ୍ୟ, ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନାକୁ ପ୍ରଗାଢ଼ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ଭିତରୁ ଗୋଟିଏ । ମୁଁ ଆପଣଙ୍କୁ ତାମିଲନାଡୁର ଗୌରବଶାଳୀ ଐତିହ୍ୟ ସହିତ ସଂପୃକ୍ତ ଦୁଇଟି ବହୁତ ପ୍ରେରଣାଦାୟୀ ପ୍ରୟାସ ବିଷୟରେ କହିବାକୁ ଚାହୁଁଛି ।
ମୋତେ ପ୍ରସିଦ୍ଧ ତାମିଲ ଲେଖିକା ଭଉଣୀ ଶିବଶଙ୍କରୀଜୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଛି । ସେ ଏକ ପ୍ରକଳ୍ପ କରିଛନ୍ତି- Knit India, Through Literature ଏହାର ଅର୍ଥ ହେଲା- ସାହିତ୍ୟ ଦ୍ୱାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା ଓ ଯୋଡ଼ିବା । ସେ ଏହି ପ୍ରକଳ୍ପ ଉପରେ ଗତ ୧୬ ବର୍ଷ ଧରି କାମ କରୁଛନ୍ତି । ଏହି ପ୍ରକଳ୍ପ ଜରିଆରେ ସେ ୧୮ଟି ଭାରତୀୟ ଭାଷାରେ ରଚିତ ସାହିତ୍ୟର ଅନୁବାଦ କରୁଛନ୍ତି । ସେ ଅନେକ ଥର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଓ ଇମ୍ଫାଲ୍ରୁ ଜୈସଲମେର୍ ପର୍ଯ୍ୟନ୍ତ ସମଗ୍ର ଦେଶ ଭ୍ରମଣ କରିଛନ୍ତି, ଯଦ୍ଦ୍ୱାରା ଭିନ୍ନ ଭିନ୍ନ ରାଜ୍ୟର ଲେଖକ ଓ କବିଙ୍କର ସାକ୍ଷାତକାର ନେଇପାରିବେ । ଶିବଶଙ୍କରୀଜୀ ବିଭିନ୍ନ ଜାଗାକୁ ଯାତ୍ରା କରିଛନ୍ତି, ସେ ଯାତ୍ରାର ବିବରଣୀ ସହିତ ଏହାକୁ ପ୍ରକାଶ କରିଛନ୍ତି । ଏହା ତାମିଲ ଓ ଇଂରାଜୀ ଦୁଇଟି ଭାଷାରେ ରହିଛି । ଏହି ପ୍ରକଳ୍ପରେ ଚାରିଟି ବଡ଼ଭାଗ ରହିଛି ଓ ପ୍ରତ୍ୟେକ ଭାଗ ଭାରତର ଅଲଗା ଅଲଗା ଅଂଶକୁ ସମର୍ପିତ ହୋଇଛି । ତାଙ୍କର ଏହି ସଙ୍କଳ୍ପଶକ୍ତି ପାଇଁ ମୋତେ ଗର୍ବ ଅନୁଭବ ହେଉଛି ।
ମୋର ପରିବାରଜନ, ଆଗାମୀ ନଭେମ୍ବର ୧୫ରେ ସମଗ୍ର ଦେଶ ଜନଜାତି ଗୌରବ ଦିବସ ପାଳନ କରିବ । ଏହି ସ୍ୱତନ୍ତ୍ର ଦିବସ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହିତ ସଂପୃକ୍ତ । ଭଗବାନ ବିର୍ସାମୁଣ୍ଡା ଆମ ସମସ୍ତଙ୍କ ହୃଦୟରେ ବାସ କରନ୍ତି । ପ୍ରକୃତ ସାହସ କ'ଣ ଓ ନିଜ ସଙ୍କଳ୍ପଶକ୍ତି ଉପରେ ଦୃଢ଼ ରହିବା କାହାକୁ କହନ୍ତି ତାହା ଆମେ ତାଙ୍କ ଜୀବନରୁ ଶିଖିପାରିବା । ସେ ବିଦେଶୀ ଶାସନକୁ କେବେ ସ୍ୱୀକାର କରିନଥିଲେ । ସେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ, ଯେଉଁଠି ଅନ୍ୟାୟର କୌଣସି ସ୍ଥାନ ନ ଥିଲା । ସେ ଚାହୁଁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନ ଓ ସମାନତାର ଜୀବନ ମିଳୁ । ଭଗବାନ ବିର୍ସାମୁଣ୍ଡା ପ୍ରକୃତି ସହିତ ସଦ୍ଭାବ ରଖିବା ଉପରେ ମଧ୍ୟ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଆଜି ମଧ୍ୟ ଆମେ ଦେଖିପାରିବା ଯେ ଆମର ଆଦିବାସୀ ଭାଇଭଉଣୀ ପ୍ରକୃତିର ରକ୍ଷଣାବେକ୍ଷଣ ଓ ତା'ର ସଂରକ୍ଷଣ ପାଇଁ ସବୁଦିଗରୁ ସମର୍ପିତ ଅଛନ୍ତି । ଆମ ସମସ୍ତଙ୍କ ପାଇଁ, ଆମର ଆଦିବାସୀ ଭାଇଭଉଣୀଙ୍କର ଏହି କାମ ବହୁତ ବଡ଼ ପ୍ରେରଣାଦାୟକ ଅଟେ ।
ମୋର ପ୍ରିୟ ଦେଶବାସୀଗଣ, ପର୍ବପର୍ବାଣୀର ଏହି ଋତୁରେ, ଏବେ ଦେଶରେ କ୍ରୀଡ଼ାର ମଧ୍ୟ ବିଜୟ ପତାକା ଉଡ଼ୁଛି । ବିଗତ ଦିନରେ ଏସୀୟକ୍ରୀଡ଼ା ପରେ ପାରାଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍ ଚମତ୍କାର ସଫଳତା ଅର୍ଜନ କରିଛନ୍ତି । ଏହି କ୍ରୀଡ଼ାରେ ଭାରତ ୧୧୧ଟି ପଦକ ଜିଣି ନୂଆ ଇତିହାସ ସୃଷ୍ଟି କରିଛି । ମୁଁ ପାରାଏସୀୟ କ୍ରୀଡ଼ାରେ ଭାଗନେଇଥିବା ସମସ୍ତ କ୍ରୀଡ଼ାବିତ୍ଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications