ମଣିପୁର ହିଂସା : ଏସପି ଅଫିସକୁ ଆକ୍ରମଣ କଲେ ଉତ୍ତ୍ୟକ୍ତ ଜନତା
କମିବାରେ ନାହିଁ ମଣିପୁର ହିଂସା । ଗତ ରାତିରେ ଶହ ଶହ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକ ଚୁରାଚନ୍ଦପୁର ଏସ୍ପିଙ୍କ ଅଫିସ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ହେଡ କନଷ୍ଟେବଳ ସାମିଲ ଥିବାର ଭିଡିଓ ସାମନାକୁ ଆସିବା ପରେ ତୁରନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି । ଫଳରେ ପୁଣି ଥରେ ମଣିପୁର ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଛି ।

ଏନେଇ ସୋଶାଲ ମିଡିଆ Xରେ ମଣିପୁର ପୁଲିସ୍ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରାୟ ୩ଶହରୁ ୪ଶହ ଲୋକ ଏକ ସଙ୍ଗେ ଗତ ରାତିରେ ଏସ୍ପିଙ୍କ ଅଫିସ ଆଡ଼କୁ ମାଡ଼ି ଆସିଲେ। ଏପରିକି ଭିଡ଼ରେ ଥିବା ଲୋକ ଅଫିସ ଉପରକୁ ପଥର ମାଡ଼ କରିବାକୁ ପଛାଇଲେ ନାହିଁ। ଉତ୍ତ୍ୟକ୍ତ ଲୋକ ଆଖପାଖରେ ଥିବା ବହୁ ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିବାର ଫଟୋ ସାମନାକୁ ଆସିଛି ।
ତୁରନ୍ତ ଘଟଣାର ମୁକାବିଲା କରିବାକୁ ରାପିଡ ଆକ୍ସନ ଫୋର୍ସ ସାଙ୍ଗକୁ ସୁରକ୍ଷା ବଳ ଜବାନଙ୍କୁ ମୁତୟନ କରାଯାଇଥିବା ବେଳେ ଭିଡ଼ ଉପରକୁ ଲୁହ ବୁହା ଗ୍ୟାସ୍ ଛଡ଼ା ଯାଇଥିଲା ।
ଏହି ଭିଡରେ ଥାନାର ହେଡ କନଷ୍ଟେବଳ ସିୟାମଲାଲ ପଲ ସାମିଲ ଥିବାର ଭିଡିଓ ସାମନାକୁ ଆସିବା ପରେ ଚୁରାଚନ୍ଦପୁର ଏସ୍ପି ଶିବାନନ୍ଦ ସୁର୍ବେ ତୁରନ୍ତ ତାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯିବା ସହ ଥାନା ନ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications