ମଣିପୁରରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ!
ଇମ୍ଫାଲ : ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଏକ ବଡ଼ ଖୁଲାସା କରିଛନ୍ତି। ସେ ପ୍ରଥମ ଥର ପାଇଁ ଶନିବାର ଦିନ ସର୍ବସାଧାରଣରେ କହିଛନ୍ତି ଯେ, ତାଙ୍କୁ ଏକ ଗୁଇନ୍ଦା ରିପୋର୍ଟ ମିଳିଛି, ଯେଉଁଥିରେ ପଡ଼ୋଶୀ ମିଆଁମାରରୁ ମଣିପୁରରେ ଜଙ୍ଗଲ ଯୁଦ୍ଧ ଏବଂ ସଶସ୍ତ୍ର ଡ୍ରୋନ୍ ବ୍ୟବହାର ପାଇଁ ପ୍ରଶିକ୍ଷିତ ୯୦୦ କୁକି ଉଗ୍ରବାଦୀଙ୍କ ପ୍ରବେଶ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଗୁଇନ୍ଦା ରିପୋର୍ଟକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ବୋଲି ମଣିପୁରର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ମଣିପୁରର ଭାରତ-ମିଆଁମାର ସୀମାରେ ଥିବା ଜିଲ୍ଲାଗୁଡ଼ିକର ସମସ୍ତ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କୁ ଗୁଇନ୍ଦା ରିପୋର୍ଟ ପଠାଯାଇଛି। ଗୁରୁବାର ପଠାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୯୦୦ କୁକି ଆତଙ୍କବାଦୀ ନିକଟରେ ଡ୍ରୋନ ଆଧାରିତ ବୋମା, ପ୍ରୋଜେକ୍ଟାଇଲ, କ୍ଷେପଣାସ୍ତ୍ର ଏବଂ ଜଙ୍ଗଲ ଯୁଦ୍ଧର ତାଲିମ ନେଇ ମିଆଁମାରରୁ ମଣିପୁରରେ ପ୍ରବେଶ କରିଛନ୍ତି। ସେମାନେ ଆସିବା ପରେ ମଣିପୁର ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ।

ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଆତଙ୍କବାଦୀମାନେ ୩୦-୩୦ ଗୋଷ୍ଠୀରେ ସାରା ରାଜ୍ୟରେ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଆତଙ୍କବାଦୀମାନେ ଷଡଯନ୍ତ୍ର କରି ମୌତେଇ ପ୍ରାଧାନ୍ୟ ଅଞ୍ଚଳକୁ ଟାର୍ଗେଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସୂଚନା ସଂପୂର୍ଣ୍ଣ ସଠିକ ବୋଲି କୁହାଯାଉଛି।
ମଣିପୁରରେ ବର୍ତ୍ତମାନ କିଛି ସମୟ ଧରି ହିଂସା ଲାଗିରହିଛି। ମଣିପୁରରେ ସେପ୍ଟେମ୍ବରରୁ ହିଂସା ବୃଦ୍ଧି ପାଇଛି। ସେଠାରେ ହିଂସା ବନ୍ଦ ହେଉନାହିଁ। ଏହାର ମୁଖ୍ୟ କାରଣ ହେଉଛି କୁକି ଏବଂ ମୌତେଇ ସମ୍ପ୍ରଦାୟ ମଧ୍ୟରେ ଜାତି ବିବାଦର । ମୌତେଇ ସମ୍ପ୍ରଦାୟ ଉପତ୍ୟକାରେ ବାସ କରନ୍ତି । କୁକି ସମ୍ପ୍ରଦାୟ ପର୍ବତରେ ବାସ କରନ୍ତି। ହିଂସା ପରଠାରୁ ଦୁଇ ସମ୍ପ୍ରଦାୟ ପରସ୍ପରର ଅଞ୍ଚଳ ପରିଦର୍ଶନ କରିବା ବନ୍ଦ କରି ଦେଇଛନ୍ତି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଅନେକ ଥର ଝଗଡା ଏବଂ ହିଂସା ଦେଖିବାକୁ ମିଳିଛି। ଉଭୟ ନିଜ ନିଜ ଅଞ୍ଚଳରେ ବଙ୍କର୍ ପ୍ରସ୍ତୁତ କରିଛନ୍ତି ।












Click it and Unblock the Notifications