ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
Shoot At Sight Orders: ମଣିପୁର ହିଂସା ପରେ କଠୋର ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ହିଂସା ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଶୁଟ ଆଟ ସାଇଟ୍ ବା ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମଣିପୁର ରାଜ୍ୟପାଳ ।
ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଏବଂ ସମସ୍ତ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ / ସ୍ପେଶାଲ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ମଣିପୁର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ ଏହା କୁହାଯାଇଛି । ଏହାପୂର୍ବରୁ, ହିଂସା ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା। ଆସନ୍ତା ପାଞ୍ଚ ଦିନ ଧରି ରାଜ୍ୟରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି ।

ସୂଚନାଥାଉ କି, ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି । ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି । ଗତକାଲି ଅର୍ଥାତ ମେ' ୩ ତାରିଖରେ ଆଦିବାସୀଙ୍କ ପକ୍ଷରୁ ଗୋଟିଏ ଶୋଭାଯାତ୍ରା କରା ଯାଉଥିଲା । ଏହି ସମୟରେ ସେମାନଙ୍କ ଉପରେ ମୈତୈ ସଂପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ । ଫଳରେ ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ଦେଖା ଯାଇଥିଲା ।
ତେବେ ଘଟଣା ସ୍ଥଳରେ ଆସାମ ରାଇଫଲ୍ସର ୩୪ ଟି ଏବଂ ସେନାର ୯ ଟି କମ୍ପାନୀ ମଣିପୁରରେ ନିୟୋଜିତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଗୃହ ମନ୍ତ୍ରଣାଳୟ ମଧ୍ୟ ମଣିପୁରକୁ ରାପିଡ୍ ଆକ୍ସନ୍ ଫୋର୍ସର ପାଞ୍ଚଟି କମ୍ପାନୀ ପଠାଇଛି । ତେବେ ଏହା ସତ୍ତ୍ୱେ ମଣିପୁରରେ ହୋଇଥିବା ଉତ୍ତେଜନା ଥମିବାର ନାମ ନେଉ ନାହିଁ ।
ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଛନ୍ତି । ହେଲେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ 'ଆଦିବାସୀ ଏକତା ମୋର୍ଚ୍ଚା' ବିରୋଧ କରୁଛି । ବୁଧବାର 'ଆଦିବାସୀ ଏକତା ମୋର୍ଚ୍ଚା' ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ରାଜ୍ୟର ମୋଟ ଜନସଂଖ୍ୟାର ୫୩% ହେଉଛନ୍ତି ମୈତୈ ସଂପ୍ରଦାୟର ଲୋକ । ସେମାନେ ନିଜକୁ ମଣିପୁରର ଆଦିମ ଅଧିବାସୀ ବୋଲି ଦାବି କରିଛନ୍ତି ।












Click it and Unblock the Notifications