ଆଫସ୍ପା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ ମଣିପୁର ସରକାର, ଜାଣନ୍ତୁ କଣ ଏହି ଆଫସ୍ପା
ପୁଣି ଅଶାନ୍ତ ହୋଇପଡିଛି ମଣିପୁର। ନିଖୋଜ ୬ ଜଣଙ୍କ ମୃତଦେହ ମିଳିବା ପରେ ଜାରି ରହିଛି ହିଂସା। ଏହାରି ଭିତରେ ମଣିପୁର ସରକାର ରାଜ୍ୟର ୬ଟି ଥାନା ଅଧୀନରେ ଆସୁଥିବା ଅଞ୍ଚଳରୁ AFSA ତଥା ଆଫସ୍ପା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

କହିରଖୁ ଯେ, ପରିସ୍ଥିତିକୁ ଦେଖି ଚଳିତ ସପ୍ତାହରେ ହିଂସା ପ୍ରପୀଡ଼ିତ ଜିରିବାମ ସମେତ ମଣିପୁରର ୬ଟି ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନକୁ ପୁନଃ ଲାଗୁ କରିଛନ୍ତି।
କେନ୍ଦ୍ରକୁ ଯୁଗ୍ମ ସଚିବ (ଗୃହ) ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି ଯେ ନଭେମ୍ବର ୧୫ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହା (ଆଫସ୍ପା ପୁନଃ ପ୍ରଚଳନ) ଉପରେ ବିଚାର ବିମର୍ଶ କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏହାର ସମୀକ୍ଷା କରି ଏହାକୁ ପ୍ରତ୍ୟାହାର ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଛି।
AFSPA 1958 ର ଧାରା ୩ ଅନୁଯାୟୀ ରାଜ୍ୟର ୬ଟି ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳଗୁଡିଙ୍କୁ ବିଶୃଙ୍ଖଳିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗତ ୧୪ ତାରିଖର ବିଜ୍ଞପ୍ତିର ସମୀକ୍ଷା ଏବଂ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି।
କହିରଖୁ ଯେ, ମଣିପୁରର ଏବେକାର ସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ କର୍ଫ୍ୟୁ ଲାଗୁ କରାଯାଇଛି। ଜିରିବାମରେ ନିଖୋଜ ଥିବା ୬ ଜଣଙ୍କ ମୃତଦେହ ଉଦ୍ଧାର ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି। ଏହାକୁ ବିରୋଧ କରି ଉପତ୍ୟକାର ଜିଲ୍ଲାଗୁଡ଼ିକରେ ପୁଣି ଥରେ ବିକ୍ଷୋଭ ଆରମ୍ଭ ହୋଇଛି।
ମଣିପୁରର ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ଏହି ୬ ଜଣଙ୍କୁ ହତ୍ୟା ଘଟଣାର ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଥିବାରୁ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଅନ୍ୟପକ୍ଷେ ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୌବାଲ୍, କାକଚିଙ୍ଗ, କୋଙ୍ଗପୋକପି ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ ରହିଛି।












Click it and Unblock the Notifications