ଯୁକ୍ତି ଉପସ୍ଥାପନ କଲେ ମମତା, ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟରେ ଗର୍ଜିଲେ ମମତା ବାନାର୍ଜୀ । କେନ୍ଦ୍ର ସରକାରଙ୍କ ସମେତ ନିର୍ବାଚନ କମିଶନଙ୍କ ବିରୋଧରେ ରଖିଲେ ମତ । ଏସଆଇଆର ପ୍ରସଙ୍ଗରେ ବାଢିଲେ ଯୁକ୍ତି । ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ଏସଆଇଆର ବିରୋଧରେ ଯୁକ୍ତି ବାଢିଛନ୍ତି ।

ମମତା କହିଛନ୍ତି ଯେ, ନ୍ୟାୟ କବାଟ ବନ୍ଦ କରି କାନ୍ଦୁଛି । ଏହା କହିବା ସହ ତାଙ୍କ ମାମଲାକୁ କୋର୍ଟ ମାତ୍ର ୫ ମିନିଟ୍ ପାଇଁ ଶୁଣନ୍ତୁ ବୋଲି ଅନୁରୋଧ କରିଥିଲେ ଦିଦି । ଏହାର ଜବାବରେ ପ୍ରଧାନ ବିଚାରପତି ୧୫ ମିନିଟ୍ ନିଅନ୍ତୁ ବୋଲି କହିଥିଲେ । ମମତା କହିଥିଲେ ଯେ, ସେ କେଉଁଠି ନ୍ୟାୟ ପାଉ ନାହାଁନ୍ତି । ନିର୍ବାଚନ କମିଶନଙ୍କୁ ସେ ୬ ଥର ଚିଠି ଲେଖିଛନ୍ତି । କିନ୍ତୁ କୌଣସି ଜବାବ ମିଳୁନି ।
କୋର୍ଟ ମଧ୍ୟ ମମତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଏହାକୁ ସେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହାସହ ସବୁ ସମସ୍ୟାର ସମାଧାନ ଅଛି ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏସଆଇଆର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନର ଜବାବରେ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି। ଫେବୃଆରୀ ୧୦ ତାରିଖ ସୁଦ୍ଧା ଇସିଆଇକୁ ଏହାର ଉତ୍ତର ଦାଖଲ କରିବାକୁ କୁହାଯାଇଛି। ମମତା ବାନାର୍ଜୀ ଖଣ୍ଡପୀଠକୁ କହିଥିଲେ ଯେ ବଙ୍ଗକୁ ଅନ୍ୟାୟ ଭାବରେ ଟାର୍ଗେଟ କରାଯାଉଛି ଏବଂ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ପାଇଁ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଏସଆଇଆର ପ୍ରସଙ୍ଗରେ ମମତା ଦୁଇ ଦିନ ତଳେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଏହାପରେ ସିଇସିଙ୍କ ବିରୋଧରେ ସେ ଗଦାଗଦା ଅଭିଯୋଗ ଆଣିଥିଲେ । ନିର୍ବାଚନ କମିଶନ ମିଛ କହୁଛନ୍ତି । ଏପରି ନିର୍ବାଚନ କମିଶନ ସେ କେବେ ଦେଖିନଥିବା ପ୍ରକାଶ କରିଥିଲେ । ଏହାଛତା ନିର୍ବାଚନ କମିଶନ ଏବଂ ଏସଆଇଆର ପ୍ରସଙ୍ଗରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।












Click it and Unblock the Notifications