ମେକ୍ ଇନ୍ ଇଣ୍ଡିଆ ସଫଳ ହେବାରେ ଲାଗିଛି, ମଜବୁତ ହେଉଛି ଦେଶର ସୁରକ୍ଷା- ପ୍ରଧାନମନ୍ତ୍ରୀ
୧୩୫ ତମ ମନ୍ କୀ ବାତରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୁନ ମାସର ଶେଷ ରବିବାର ମୋଦୀ ଅନେକ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଦେଶର ସୁରକ୍ଷା, ଭାରତର ଉପଲବ୍ଧି ଉପରେ ଆଲୋକପାତ କରିଛନ୍ତି । ଏହାସହ ସ୍ୱଦେଶୀ ଜ୍ଞାନ କୌଶଳର ପ୍ରଶଂସା କରି ଏହାର ଫାଇଦା ଦର୍ଶାଇଛନ୍ତି ।

ପିଏମ୍ ମୋଦୀ କହିଛନ୍ତି ଯେ, ଗତ ୬ ମାସ ହେଲା ଭାରତ ଅନେକ କ୍ଷେତ୍ରରେ ଉତ୍କୃଷ୍ଟ କାମ କରିଛି । ଯାହା ଉପରେ ଦେଶବାସୀ ଗର୍ବ କରିବା ଆବଶ୍ୟକ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇଛି । ସେନାର ଶକ୍ତି ବଢିଛି । ଭାରତ ସି-୨୯୫ ବିମାନ ତିଆରି କରିଛି । ସମୁଦ୍ରରୁ ନେଇ ଆକାଶ ଯାଏଁ ଭାରତର ସୁରକ୍ଷା ଲଗାତାର ଭାବେ ମଜବୁତ ହେବାରେ ଲାଗିଛି ।
କେବଳ ପ୍ରତିରକ୍ଷା କ୍ଷେତ୍ର ଉପରେ ନୁହେଁ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗ, ନିଯୁକ୍ତି ଏବଂ ସମାଜସେବା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଜୁନରେ ଦେଶ ଅନେକ ସଫଳତା ହାସଲ କରିଛି । ଦେଶ ନିଜର କ୍ଷମତା ଏବଂ ଆତ୍ମବିଶ୍ୱାସକୁ ଦୁନିଆ ଆଗରେ ରଖିଛି । ବିଶ୍ୱ ଯୋଗାସନ ପ୍ରତିଯୋଗିତାରେ ଭାରତ ବାଜି ମାରିଛି ।
ସେ ଆହୁରି କହିଛନ୍ତି ଯେ, ୨୦୨୬ ଅଧା ହୋଇଗଲାଣି । ଏହି ୬ ମାସରେ ମନ୍ କୀ ବାତରେ ସେ ଦେଶବାସୀଙ୍କ ସହ ଅନେକ ଉପଲବ୍ଧି ବାବଦରେ କଥା ହୋଇଛନ୍ତି । ଜୁନ୍ ମାସରେ ମଧ୍ୟ ଦେଶ ଅନେକ ସଫଳତା ସାଉଣ୍ଟିଛି । ଆଇଏନଏସ ଦୁନାଗିରି, ଆଇଏନଏସ ସଂଶୋଧକ ଏବଂ ଆଇଏନଏସ ଅଗ୍ରଜକୁ ନୌସେନାରେ ସାମିଲ କରାଯାଇଛି । ଏହାର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହୋଇଛି । ସେହିପରି ସି-୨୯୫ ବିମାନ ହେଉଛି ମେକ୍ ଇନ୍ ଇଣ୍ଡିଆର ଅଂଶ । ଏହା ନିଜର ପ୍ରଥମ ଉଡାଣ ଭରିଛି । ଏପରି ଭାବେ ଦେଶରେ ୪୦ଟି ବିମାନ ତିଆରି ହେଉଛି । ଏହା କେବଳ ଏକ ବିମାନ ନୁହେଁ ବରଂ ଭାରତର ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଆତ୍ମବିଶ୍ୱାସର ଝଲକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।












Click it and Unblock the Notifications