ବାୟୁସେନାର ଏୟାର ଶୋ' ବେଳେ ବଡ ଧରଣର ଅଘଟଣ, ଟଳି ପଡ଼ିଲେ ୪ ପର୍ଯ୍ୟଟକ
ଭାରତୀୟ ବାୟୁସେନାର ଏୟାର ଶୋ' ବେଳେ ଅଘଟଣ। ଟଳି ପଡ଼ିଲେ ଶୋ' ଦେଖିବାକୁ ଆସିଥିା ୪ ପର୍ଯ୍ୟଟକ। ରବିବାର ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଚେନ୍ନାଇର ମରିନା ବିଚ୍ରେ ଏୟାର ଶୋ' ଆୟୋଜନ ହୋଇଥିଲା। ତେବେ ଶୋ' ଦେଖିବାକୁ ଆସିଥିବା ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି।

ରବିବାର ବାୟୁସେନାର ଏୟାର ଶୋ' ଦେଖିବାକୁ ଚେନ୍ନାଇର ମରିନା ବିଚ୍ରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭିଡ ଜମାଇଥିଲେ। ଏହି ସମୟରେ ପ୍ରବଳ ଗୁଳୁଗୁଳୁ ଗରମ ହେଉଥିଲା। ଡିହାଇଡ୍ରେସନ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହିଟ୍ ଷ୍ଟ୍ରୋକ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।
କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ ଲୋକେ ଫସି ରହିଥିଲେ। ସହରର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠି ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ଅନ୍ୟପଟେ ଯେଉଁଠି କାର୍ଯ୍ୟକ୍ରମ ହେଉଥିଲା, ଅର୍ଥାତ ମରିନା ବିଚ୍ରେ ଏକତ୍ରିତ ହୋଇଥିବା ଲୋକେ କାର୍ଯ୍ୟକ୍ରମ ପରେ ସେଠାରୁ ଫେରିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ।
ସୂଚନା ଅନୁଯାୟୀ, ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଏୟାର ଶୋ' ସକାଳ ୧୧ ଟାରୁ ଆରମ୍ଭ ହୋଇଥିଳା। ଏହା ଦିନ ୧ ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏଥିପାଇଁ ସକାଳ ୮ ଟା ସୁଦ୍ଧା ହଜାର ହଜାର ଲୋକ ପ୍ରବଳ ଖରାରେ ଏକାଠି ହୋଇଥିଲେ। ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅନେକ ବୟସ୍କ ବ୍ୟକ୍ତି ପ୍ରବଳ ଗରମ ହେତୁ ଚେତାଶୂନ୍ୟ ହୋଇପଡିଥିଲେ।












Click it and Unblock the Notifications