ଆମର ସବୁଠୁ ବଡ଼ ଶତ୍ରୁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳତା ;ପ୍ରଧାନମନ୍ତ୍ରୀ
ଭାରତର ସବୁଠାରୁ ବଡ଼ ଶତ୍ରୁ ବିଦେଶୀ ଦେଶ ଉପରେ ନିର୍ଭରଶୀଳତା। ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ପୂରଣ କରିବା ପାଇଁ ଏହାକୁ ଦୂର କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭାବନଗରରେ ଅନୁଷ୍ଠିତ "ସମୁଦ୍ର ସେ ସମୃଦ୍ଧି" କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ-୧ବି ଭିସା ଫି' ବୃଦ୍ଧି କରିଛନ୍ତି। ଏଣିକି କମ୍ପାନୀଗୁଡ଼ିକ ଜଣେ କର୍ମଚାରୀଙ୍କ ପାଇଁ ବାର୍ଷିକ ୧ ଲକ୍ଷ ଡଲାର(ପ୍ରାୟ ୮୮ଲକ୍ଷ ଟଙ୍କା) ଅର୍ଥ ଆମେରିକା ସରକାରଙ୍କୁ ଏଚ-୧ବି ଭିସା ଫି' ବାବଦରେ ପ୍ରଦାନ କରିବେ।

ଟ୍ରମ୍ପ ଏ ସମ୍ପର୍କିତ ଆଇନ ଉପରେ ସ୍ଵାକ୍ଷର କରିବାର କିଛି ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ଦୃଢ଼ ମନ୍ତବ୍ୟ ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ 'ଆତ୍ମନିର୍ଭରତା' ଉପରେ ଗୁରୁତ୍ଵ ଦେବା ସହିତ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳତା ଆମର ସବୁଠୁ ବଡ଼ ଶତ୍ରୁ ବୋଲି କହିଛନ୍ତି। ଆମ ଦେଶ ସବୁ କିଛି ତିଆରି କରିବା ଉଚିତ। ଚିପ୍ସ(ସେମିକଣ୍ଡକ୍ଟର)ଠାରୁ ଆରମ୍ଭ କରି ଶିପ୍ସ(ଜାହାଜ) ପର୍ଯ୍ୟନ୍ତ ସବୁ କିଛି ଭାରତରେ ତିଆରି ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଚନ୍ତି।
ଟ୍ରମ୍ପଙ୍କ ଏହି ନୂଆ ଆଇନ ଆମେରିକାରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ ପାଇଁ ଯାଉଥିବା କର୍ମଚାରୀଙ୍କ କ୍ୟାରିୟରକୁ ବିଶେଷ ପ୍ରଭାବିତ କରିବ। ଗୁଜରାଟର ଭାବନଗର ଅନ୍ତର୍ଗତ ଗାନ୍ଧୀ ମଇଦାନରେ 'ସମୁଦ୍ରରୁ ସମୃଦ୍ଧି' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶନିବାର ଯୋଗଦେଇ ୩୪ ହଜାର ୨୦୦ କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ମୋଦୀ କହିଥିଲେ, ବିଶ୍ଵରେ ଭାରତର କୌଣସି ବଡ଼ ଶତ୍ରୁ ନାହାନ୍ତି। ଭାରତର ଏକମାତ୍ର ଶତ୍ରୁ ହେଉଛି ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳତା। ଆମକୁ ଏହି ଶତ୍ରୁକୁ ପରାଜିତ କରିବାକୁ ହେବ। ଆମକୁ ବୁଝିବାକୁ ହେବ ଯେ, ଆମେ ଅନ୍ୟ ଉପରେ ଯେତେ ନିର୍ଭର କରିବା, ଆମର ବିଫଳତା ହାର ସେତିକି ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।












Click it and Unblock the Notifications