ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ, ସାମିଲ ହେବେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ବିୟୋଗରେ ଶୋକ ସାଗରରେ ବୁଡ଼ିଛି ମହାରାଷ୍ଟ୍ର । ଗତକାଲି ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଆକସ୍ମିକ ଦେହାନ୍ତ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଜି ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ରାଜନୀତିର ଅନ୍ୟତମ ଲୋକପ୍ରିୟ ରାଜନେତା ଅଜିତ ପାୱାରଙ୍କ ଶେଷକୃତ୍ୟ ସଂପନ୍ନ ହେବ । ପୁଣେ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗାଁ ବାରମତୀରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର। ସକାଳେ ଡାକ୍ତରଖାନାରୁ ସଡ଼କ ପଥରେ ମୃତଦେହକୁ ବାରମତୀ ଆଣିବା ପରେ ପ୍ରଥମେ କାଠେବାଡ଼ି ସ୍ଥିତ ବାସଭବନକୁ ନିଆଯିବ। ଏହାପରେ ଗଦିମା ସଭାଗୃହକୁ ଆସିବ ମରଶରୀର । ସେଠାରେ ଦଳୀୟ କର୍ମୀ, ଜ୍ଞାତିପରିଜନ, ରାଜନୈତିକ ସହକର୍ମୀ ଓ ବାରମତୀର ଜନତା ଦାଦାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେବେ । ଏହାପରେ ବିଦ୍ୟାପ୍ରତିଷ୍ଠାନକୁ ପାର୍ଥୀବ ଶରୀରକୁ ଆଣି ସେଠାରେ ସାଧାରଣ ଜନତା, ଦଳୀୟ କର୍ମୀ ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ସମୟ ରଖାଯିବ ।

ଏହାପରେ ବିଦ୍ୟା ପ୍ରତିଷ୍ଠାନ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତଯ୍ କରାଯିବ ନେଇ ସମସ୍ତ ପ୍ରକାର ବନ୍ଦେବସ୍ତ କରାଯାଇଛି । ଅଜିତ ପାୱାରଙ୍କ ଅନ୍ତିମ ଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ସମେତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାମିଲ ହେବେ । ଏହାଛଡ଼ା ଉଦ୍ଧବ ଠାକରେ, ରାଜ ଠାକରେଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଓ ଅନ୍ୟ ରାଜ୍ୟର ନେତା ସାମିଲ ହେବେ ବୋଲି ସୂଚନା ମିଳିଛି । ମହାରାଷ୍ଟ୍ର ସରକାର ଅଜିତ ପାୱାରଙ୍କ ସମ୍ମାନରେ ରାଜ୍ୟରେ ତିନି ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି । ଅନ୍ତିମ ସଂସ୍କାର ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ଏହି ବିଦାୟୀ ସମାରୋହରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ପ୍ରମୁଖ ନେତା ସାମିଲ ହେବେ । ତ୍ରିରଙ୍ଗା ପତାକାରେ ଘୋଡ଼େଇ ହୋଇଥିବା ଅଜିତ ପାୱାରଙ୍କୁ ଅନ୍ତିମ ବିଦାୟ ଦେବା ମହାରାଷ୍ଟ୍ର ପାଇଁ ଏକ ଯୁଗର ଅବସାନ କହିଲେ ଭୁଲ ହେବ ନାହିଁ ।












Click it and Unblock the Notifications