Maharashtra CM :ସରୁନି ସତ୍ତାର ସସପେନ୍ସ, କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?
ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବା ଦିନଠୁ ହିଁ, ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଚର୍ଚ୍ଚା ବଢିଛି । ଖାସ୍ କରି ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ ତାକୁ ନେଇ ଚର୍ଚ୍ଚା ବଢିଛି । ଆଉ ଏହାରି ଭିତରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରେସରୁ ନିଜକୁ ବାହାର କରିଦେଇଥିବା ନେଇ ଖବର ଆସିଛି । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ? କିଏ ଉପ-ମୁଖ୍ୟମନ୍ତ୍ରୀ ହେବ? ଏକନାଥ ସିନ୍ଦେଙ୍କ ରାଜନୈତିକ ଭବିଷ୍ୟତ କଣ ହେବ? ତାକୁ ନେଇ ରାଜନୈତିକ କରିଡରରେ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା ।
ଶିବସେନା ନେତା ସଞ୍ଜୟ ଶିରସାଟ ଶୁକ୍ରବାର କହିଛନ୍ତି ଯେ, ଯଦି ତାଙ୍କ ଦଳର ନେତା ଏକନାଥ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର ନକରନ୍ତି, ତେବେ ଏହି ପଦ ଦଳର ଆଉ କେଉଁ ନେତାଙ୍କୁ ଦିଆଯିବ । ଏଥିସହ ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଏକନାଥ ସିନ୍ଦେ ମହାରାଷ୍ଟ୍ର ରାଜନୀତି ଛାଡି କଦାପି କେନ୍ଦ୍ରରେ ମନ୍ତ୍ରୀ ବନିବେ ନାହିଁ ।
ତେବେ ମହାରାଷ୍ଟ୍ର ରେଜଲ୍ଟ ଆସିବା ପରେ ଏକନାଥ ସିନ୍ଦେ କହିଛନ୍ତି ଯେ, ବିଜେପି ନେତୃତ୍ୱ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଯାହା ବି ନିଷ୍ପତ୍ତି ନେବେ ସେ ତାକୁ ଗ୍ରହଣ କରିବେ । ମୋଦୀ, ଶାହା ହିଁ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ଧାର୍ୟ୍ୟ କରିବେ ବୋଲି କୁହାଯାଉଛି । ତେବେ ଏହାରି ଭିତରେ ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ଅମିତ ଶାହାଙ୍କ ବାସଭବନରେ ମିଟିଂ ହେଇଥିଲା । ହେଲେ ଏବେ ବି ଏନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ପାରିନାହିଁ ।

ତେବେ ମହାରାଷ୍ଟ୍ର ରେଜଲ୍ଟ ପରେ ଏଥର ମହାୟୁତି ମେଣ୍ଟକୁ ବହୁମତ ମିଳିଛି । ଆଉ ମେଣ୍ଟରେ ସବୁଠୁ ଅଧିକ ଆସନ ଜିତିଥିବାରୁ ବିଜେପି ନେତା ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ନେଇ ସୂଚନା ମିଳୁଛି । ଏପରି ହେଲେ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ହେବା ଏକପ୍ରକାର ପକ୍କା । ତେଣୁ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେଲେ, ଏକନାଥ ସିନ୍ଦେଙ୍କୁ କେଉଁ ପଦ ମିଳୁଛି ତାହା ଏବେ ପ୍ରଶ୍ନ ଘେରରେ ।
ଶିବସେନା ନେତାଙ୍କ କହିବା କଥା, ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି । ଏହା ବଦଳରେ ଶିବସେନାର ଅନ୍ୟ କେଉଁ ନେତାଙ୍କୁ ଏହି ପଦ ମିଳିପାରେ । ଏହାସହ ଏକନାଥ ସିନ୍ଦେ କେନ୍ଦ୍ର କ୍ୟାବିନେଟରେ ମଧ୍ୟ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି କହିଛନ୍ତି ସଞ୍ଜୟ ଶିରହାଟ ।
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୩ ତାରିଖରେ ଆସିଥିଲା ମହାରାଷ୍ଟ୍ର ଫଳାଫଳ । ଯେଉଁଥିରେ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ମିଳିଥିଲା ସ୍ପଷ୍ଟ ବହୁମତ । ଏହାମଧ୍ୟରେ ବିଜେପିକୁ ୧୩୨ ସିଟ୍ ଜିତିଥିବାବେଳେ, ଶିବସେନା ୫୭ ସିଟ୍, ଏନସିପି ୪୧ ସିଟ୍ ଜିତିଥିଲା । ଅନ୍ୟପଟେ କଂଗ୍ରେସ କେବଳ ୧୬ ସିଟ୍, ଶିବସେନା (ୟୁବିଟି) ୨୦ ସିଟ୍ ଆଉ ଏନସିପି (ଶରଦ ପାଓ୍ୱାର) ୧୦ଟି ସିଟରେ ଜିତାପଟ ହାସଲ କରିଥିଲେ । ହେଲେ ଏପର୍ୟ୍ୟନ୍ତ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଚର୍ଚ୍ଚା ଥମିନି ।
ରିପୋର୍ଟ ଅନୁସାରେ, ବିଜେପି ମହାୟୁତି ମେଣ୍ଟରେ ବଡ଼ ଭାଇ ଭୂମିକାରେ ରହିବ। ବିଜେପି ଅଧୀନରେ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି କାମ କରିବେ। ଏକନାଥ ସିନ୍ଦେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ରେସରୁ ଓହରି ଯାଇଥିବା ସଙ୍କେତ ଦେଇଥିବାରୁ ଫଡନାଭିସ ଶୀର୍ଷ ପଦକୁ ଫେରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।
ବିଜେପି ପକ୍ଷରୁ ସିନ୍ଦେ ସେନାକୁ ମହାରାଷ୍ଟ୍ରରେ ୧୨ଟି କ୍ୟାବିନେଟ ପଦ ଦିଆଯିବ। ଏହା ମଧ୍ୟରେ ୩ଟି ବଡ଼ ବିଭାଗ ରହିବ। ସେହିପରି ମେଣ୍ଟରେ ଥିବା ତୃତୀୟ ଦଳ ହେଉଛି ଅଜିତ ପାୱାରଙ୍କ ଏନସିପି। ମହାରାଷ୍ଟ୍ର ସରକାରରେ ଏନସିପିକୁ କେବଳ ୯ଟି ମନ୍ତ୍ରୀ ପଦ ମିଳିବ।
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ବିଜେପିର ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଘୋଷଣା କରିଥିବା ଏକନାଥ ସିନ୍ଦେ କେନ୍ଦ୍ରକୁ ଯିବେ। ତାଙ୍କୁ କେନ୍ଦ୍ର ସରକାର ନଗର ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ ମନ୍ତ୍ରଣାଳୟ ଦେବେ। ମହାରାଷ୍ଟ୍ରରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଯାଉଥିବା ବେଳେ ଶିବସେନା ଓ ଏନସିପି ଉପ ମୁଖ୍ୟମନ୍ତ୍ରୀ ପଦ ପାଇବେ।












Click it and Unblock the Notifications