ଦୁଇ ଭାଗ ହେଲା ସୁପରଫାଷ୍ଟ ମଗଧ ଏକ୍ସପ୍ରେସ
ପାଟନା:ବିହାରର ବକ୍ସର ଜିଲାରେ ରବିବାର ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା। ଦିନକ ପରେ ପୁଣି ଆଉ ଏକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟପ୍ରଦେଶର ଜବଲପୁର ପରେ ଆଜି ପୁଣି ବିହାରର ବକ୍ସର ଜିଲ୍ଲାରେ ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା । ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ହଠାତ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଯେତେବେଳେ ଚଳନ୍ତା ଟ୍ରେନ୍ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଟ୍ରେନ୍ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇଥିଲେ। ସୂଚନା ପାଇବା ପରେ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ପୂର୍ବ କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ସରସ୍ୱତୀ ଚନ୍ଦ୍ର କହିଛନ୍ତି ଯେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ସମୟରେ ଟ୍ରେନ୍ ନଂ ୨୦୮୦୨ ନୂଆଦିଲ୍ଲୀ-ଇସଲାମପୁର ମଗଧ ଏକ୍ସପ୍ରେସର ଇଞ୍ଜିନର ୧୩ ଏବଂ ୧୪ କୋଚ ମଧ୍ୟରେ କପଲିଙ୍ଗ ଭାଙ୍ଗି ଯାଇଥିଲା।

ଟ୍ରେନ୍ର ଉଭୟ ଅଂଶକୁ ସଂଯୋଗ କରିବା ପରେ ଅନୁସନ୍ଧାନ କରାଯାଇଥିଲା ଏବଂ ପରେ ଏହାକୁ ଗନ୍ତବ୍ୟ ପଥରେ ପଠାଯାଇଥିଲା। କପଲିଙ୍ଗ କିପରି ଭାଙ୍ଗିଲା ସେ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ୨୦୮୦୨ ଡାଉନ ମଗଧ ଏକ୍ସପ୍ରେସ୍ ନୂଆଦିଲ୍ଲୀରୁ ପାଟନା ଯାଉଥିଲା। ଡୁମରାଓ ରେଳ ଷ୍ଟେସନ ଛାଡ଼ି ଟୁନିଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ହଠାତ୍ ଟ୍ରେନ ବଗି ଅଲଗା ହୋଇଯାଇଥିଲା।












Click it and Unblock the Notifications