ବିବାହ କରିନଥିଲେ ବାଜପେୟୀ, କିନ୍ତୁ ବାନ୍ଧବୀଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ। ଅଟଳଙ୍କ ରାଜନୈତିକ ଜୀବନ ଅତ୍ୟନ୍ତ ସଫଳ ବୋଲି ସମସ୍ତେ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଏହି ରାଜନେତାଙ୍କ ବ୍ୟକ୍ତିଗତ ଜୀବନର କିଛି ରୋଚକ ତଥ୍ୟ। କାହିଁକି ବିବାହ କରିନଥିଲେ ଅଟଳ
ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ। ଅଟଳଙ୍କ ରାଜନୈତିକ ଜୀବନ ଅତ୍ୟନ୍ତ ସଫଳ ବୋଲି ସମସ୍ତେ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଏହି ରାଜନେତାଙ୍କ ବ୍ୟକ୍ତିଗତ ଜୀବନର କିଛି ରୋଚକ ତଥ୍ୟ। କାହିଁକି ବିବାହ କରିନଥିଲେ ଅଟଳ ?

ତେବେ ପ୍ରକାଶିତ ପୁସ୍ତକ ଅନୁସାରେ, ବାଜପେୟୀ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଦିଲ୍ଲୀର ରାମଜସ୍ କଲେଜକୁ ଅତିଥି ଭାବେ ନିମନ୍ତ୍ରଣ ଦିଆଯାଇଥିଲା। ସେହି ପ୍ରୋଗ୍ରାମରେ ସାମିଲ ହୋଇଥିଲେ ପ୍ରଫେସର ବ୍ରିଜନାଥ କୌଲ୍ ଆଉ ତାଙ୍କ ପତ୍ନୀ ରାଜକୁମାରୀ କୌଲ। ଏଇଠୁ ଆରମ୍ଭ ହୋଇଥିଲା ବାଜପେୟୀଙ୍କ ପ୍ରେମର ଦ୍ବିତୀୟ ପୃଷ୍ଠା..
1941 ମସିହାରେ ବାଜପେୟୀ ଓ ରାଜକୁମାରୀ ଗ୍ବାଲିୟରର ଭିକ୍ଟୋରିଆ କଲେଜରେ ଏକାଠି ପାଠ ପଢ଼ୁଥିଲେ। ସେହି ସମୟରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା । ବାଜପେୟୀ ଓ ରାଜକୁମାରୀଙ୍କ ମଧ୍ୟରେ ପ୍ରେମ ସଂପର୍କର ମୁଖ୍ୟ ଆକର୍ଷଣ ଥିଲା ବୌଦ୍ଧିକ ଜ୍ଞାନ। ରାଜନୈତିକ ପ୍ରସଙ୍ଗକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିତର୍କ ହେଉଥିଲା। ସହରରେ ବଢ଼ିଥିବା ରାଜକୁମାରୀ ଇଂରାଜୀ ଭାଷାରେ ନରମ ସ୍ବରରେ ଅନର୍ଗଳ କଥା ହୋଇପାରୁଥିବା ବେଳେ ବାଜପେୟୀ ତାଙ୍କର ସ୍ବାଭାବିକ ଗୁରୁଗମ୍ଭୀର ସ୍ବରରେ କଥା ହେଉଥିଲେ। ରାଜକୁମାରୀ ବାଜପେୟୀଙ୍କୁ ଉଦାରବାଦୀ ହେବାକୁ ପ୍ରଭାବିତ କରିବା ସହିତ ତାଙ୍କ ସହିତ ସର୍ବଦା ସୁସଂପର୍କ ବଜାୟ ରଖିଥିଲେ ।
କିନ୍ତୁ ଅଧୁରା ରହିଯାଇଥିଲା ଉଭୟଙ୍କ ପ୍ରେମ । ଦୁହେଁ ନିଜର ପ୍ରେମକୁ ଦେଇ ପାରିନଥିଲେ କୌଣସି ଉପଯୁକ୍ତ ସଂପର୍କର ନାମ । ଆଉ ବିବାହ ବନ୍ଧନରେ ବାନ୍ଧି ହେବା ଦୁହିଁଙ୍କ ପକ୍ଷେ ହୋଇପାରିଲା ନାହିଁ ସମ୍ଭବ । କାରଣ ରାଜକୁମାରୀ ଏକ ଧନୀ ପରିବାରର ଥିବା ଯେଉଁଠି ଅଟଳ ମଧ୍ୟବିତ୍ତ ପରିବାରର ଥିଲେ । ଅଟଳଙ୍କୁ ବିବାହ ପାଇଁ ଇଚ୍ଛା କରିଥିଲେ ରାଜକୁମାରୀ । କିନ୍ତୁ ଏଥିରେ ରାଜି ନଥିଲେ ରାଜକୁମାରୀଙ୍କ ପିତା । ସମୟକ୍ରମେ ପିତା ଓ ପରିବାରକୁ ସମ୍ମାନ ଦେଇ ଅଟଳଙ୍କୁ ବିବାହ ପାଇଁ ଇଚ୍ଛା ପରିବର୍ତ୍ତନ କରିଦେଇ ନିଜ ପରିବାରକୁ ବାଛିଥିଲେ ପ୍ରେମିକା ରାଜକୁମାରୀ। ଏହାପରେ ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇଥିଲେ । ଦୁହିଁଙ୍କ ଭିତରେ ପ୍ରାୟ 16 ବର୍ଷ ପର୍ଯ୍ୟନ୍ତ ଦେଖାସାକ୍ଷାତ ତ ଦୂରର କଥା କଥାବାର୍ତ୍ତା ବି ହୋଇ ନଥିଲା। ଏମିତିକି ରାଜକୁମାରୀ ବ୍ରିଜନାଥଙ୍କୁ ବିବାହ କରିଥିବା କଥା ମଧ୍ୟ ବାଜପେୟୀ ଜାଣି ପାରିନଥିଲେ। କିନ୍ତୁ ଏଇଠି ପଡିନଥିଲା ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ....
ଦୀର୍ଘ 16 ବର୍ଷର ବ୍ୟବଧାନ ପରେ ରାମଜସ୍ କଲେଜରେ ଦେଖା ହୋଇଥିଲେ ଦୁହେଁ । କୁହାଯାଏ ପ୍ରେମ ଶାଶ୍ବତ , କେବେ ସରେନା । ତେବେ ଦୁହିଁଙ୍କର ବାକି ଥିବା ଅଧୁରା ପ୍ରେମ ପୁଣି ଆରମ୍ଭ ହୋଇଥିଲା । ଏଠାରେ ଦେଖାସାକ୍ଷାତ ସେମାନଙ୍କ ପୁରୁଣା ସଂପର୍କକୁ ଆହୁରି ତାଜା କରିଦେଇଥିଲା। ସେଦିନର ସାକ୍ଷାତ ପରେ ବାଜପେୟୀ କୌଲ୍ ଦମ୍ପତିଙ୍କ ଘରକୁ ନିୟମିତ ଯିବା ଆସିବା କରିବା ଆରମ୍ଭ କରିଥିଲେ। ଏହାରି ଭିତରେ ରାଜକୁମାରୀଙ୍କ ସନ୍ତାନଙ୍କ ପ୍ରତି ବାଜପେୟୀଙ୍କ ଭଲପାଇବା ବଢ଼ିବାରେ ଲାଗିଥିଲା। ବିଶେଷକରି ସାନ ଝିଅ ନମିତାଙ୍କ ପ୍ରତି ଥିଲା ଅଧିକ ଶ୍ରଦ୍ଧା । ନମିତାଙ୍କୁ ପରବର୍ତ୍ତୀ ସମୟରେ ଅଟଳ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ।
ବ୍ୟକ୍ତିଗତ ଓ ରାଜନୈତିକ ଜୀବନ
ବାଜପେୟୀଙ୍କ ରାଜନୈତିକ ଅବଦାନ ଓ ବିକାଶର ପରିକଳ୍ପନା ଏବେ ବି ସମସ୍ତଙ୍କ ହୃଦୟରେ ରହିଛି । ସେ କରିଯାଇଥିବା କାର୍ଯ୍ୟ ଏବେ ବି ହୀରା ଭଳି ଚମକୁଛି । ଅଟଳ ବିହାରୀ ସବୁବେଳେ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିଲେ। ଏଥିପାଇଁ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ତାଙ୍କୁ ବେଶ୍ ସମ୍ମାନ କରନ୍ତି।
କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ବାଜପେୟୀଙ୍କ ପ୍ରେମ ସଂପର୍କ ନେଇ ଆର୍ଏସ୍ଏସ୍ରେ ଝଡ଼ ମଧ୍ୟ ଉଠିଥିଲା। ହେଲେ କୌଣସି ବି ପରିସ୍ଥିତିରେ ବାଜପେୟୀ ତାଙ୍କ ପ୍ରେମ ପାଇଁ ପଛକୁ ନହଟି ନିଜକୁ ଅଟଳ ରଖିଥିଲେ । ଆଉ ଏଥିପାଇଁ ଉଦାରବାଦୀ ବାଜପେୟୀଙ୍କୁ ଆରଏସ୍ଏସ୍ର ଘନିଷ୍ଠ ମହଲରୁ ବାହାରେ ରହିବା ପାଇଁ ପଡିଥିଲା । କିନ୍ତୁ ଏହି ସବୁ କଥା ଅଟଳଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା ।
ନିଜର ବ୍ୟକ୍ତିଗତ ଜୀବନ ସହିତ ସେ ରାଜନୀତି କ୍ଷେତ୍ରରେ ମଧ୍ୟ ଖୁବ ଆଗକୁ ବଢିଥିଲେ । ଆରଏସଏସ ରୁ ତାଙ୍କର ପ୍ରଧାନମନ୍ତ୍ରୀର ଯାତ୍ରା ସଫଳ ଥିଲା । ଏସମସ୍ତ ଭିତରେ 2014 ମସିହାରେ ପ୍ରେମିକା ରାଜକୁମାରୀଙ୍କ ଦେହାନ୍ତର ଠିକ 4 ବର୍ଷ ପରେ 2018ରେ ଅଟଳ ବିହାରୀ ବାଜପେୟୀଙ୍କର ବିୟୋଗ ହୋଇଥିଲା ।












Click it and Unblock the Notifications