ସରିଲା ଲୋକସଭା ଶୀତକାଳୀନ ଅଧିବେଶନ; ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି
ସରିଲା ଲୋକସଭା ଶୀତକାଳୀନ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି ।

ନଭେମ୍ବର ୨୫ତାରିଖରୁ ଆରମ୍ଭ ହୋଇଥିଲା ଏହି ଅଧିବେଶନ। ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ୱାନ୍-ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଆଗତ ହୋଇଛି। ଶୀତ ଅଧିବେଶନ ଆରମ୍ଭରୁ ସଂସଦରେ ଶାସକ ଦଳ ଓ ବିରୋଧୀ ଦଳର ସାଂସଦମାନେ ପରସ୍ପର ସହ ମୁହାଁମୁହିଁ ହେଉଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ବିଜେପି । ବିଜେପିର ଦୁଇ ଜଣ ସାଂସଦଙ୍କୁ ଧକ୍କା ଦେଇ ଆହତ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଜେପି ସାଂସଦମାନେ ମଲ୍ଲିକାର୍ଜୁନ ଖଡଗେଙ୍କୁ ହଇରାଣ କରୁଥିବା ନେଇ କଂଗ୍ରେସ ମଧ୍ୟ ପୁଲିସରେ ଅଭିଯୋଗ କରିଛି। ଡ. ଆମ୍ବେଦକରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଲଢ଼େଇ କରିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି ବୋଲି କଂଗ୍ରେସ କହିଛି।
ସଂସଦ ପରିସରରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତିରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଛନ୍ତି। ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ରାଜନାଥ ସିଂହ ହସ୍ପିଟାଲରେ ପହଞ୍ଚି ଉଭୟଙ୍କୁ ଭେଟିଥିଲେ। ଡ. ଆମ୍ବେଦକରଙ୍କୁ ନେଇ ଅମିତ ଶାହାଙ୍କ ବୟାନକୁ ବିରୋଧ କରି ବିରୋଧୀମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନାରାବାଜି କରି ବିରୋଧୀ ସଂସଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସାଂସଦମାନେ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ।
ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ଏହି ଘଟଣା ଘଟିଥିଲା। ଅମିତ ଶାହା ଅଭିଯୋଗ କରିଛନ୍ତି ଯେ ବିରୋଧୀ ତାଙ୍କ ବୟାନକୁ ବିଭ୍ରାଟ କରୁଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଏହି ଭିଡିଓର କ୍ଲିପ୍ କାଟି ଭାଇରାଲ କରିଛି। ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଶାହା ତାଙ୍କ ଇସ୍ତଫା ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଏହା କଂଗ୍ରେସର ସମସ୍ୟାର ସମାଧାନ କରିବ ନାହିଁ।












Click it and Unblock the Notifications