୨୬ ଜୁନ୍ ରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ
ନୂଆଦିଲ୍ଲୀ: ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହୋଇଛି । ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୯ଜୁନରେ ଶପଥ ଗ୍ରହଣ କରିବା ପରେ ସୋମବାର ୧୦ ଜୁନ ରେ ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ କରାଯାଇଥିଲା ଏବଂ ସରକାର ଏହାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଏବେ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ନିର୍ବାଚନ ୨୬ଜୁନରେ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ମୁତାବକ, ଜୁନ୍ ୨୬ ତାରିଖରେ ଲୋକସଭାରେ ବାଚସ୍ପତି ପଦ ପାଇଁ ଭୋଟ୍ ପଡିବ । ଯେଉଁଥିରେ ସାଂସଦ ମାନେ ବାଚସ୍ପତି ପଦ ପାଇଁ ଭୋଟ୍ ଦେବେ । ତେବେ ଏହା ପୂର୍ବରୁ କାମଚଳା ବାଚସ୍ପତି ପ୍ରଥମେ ସାଂସଦମାନଙ୍କ ଶପଥ ପାଠ କରାଇବେ । ଏହାପରେ ବାଚସ୍ପତି ପଦ ପାଇଁ ଭୋଟିଂ ହେବ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକସଭାର ବାଚସ୍ପତି କିଏ ହେବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଗୋଟିଏ ପଟେ ବିଜେପି ଏହି ଆସନରେ ନିଜ ଦଳର କୌଣସି ସାଂସଦଙ୍କୁ ବସାଇବାକୁ ଚିନ୍ତା କରୁଥିିବାବେଳେ, ବାଚସ୍ପତି ପଦ ଉପରେ ଆଖି ରଖିଛନ୍ତି ବିଜେପିର ସହଯୋଗୀ ଟିଡିପି ଏବଂ ଜେଡିୟୁ । ତେଣୁ ବାଚସ୍ପତି ଆସନରେ କିଏ ବସୁଛନ୍ତି ତାହା ଏବେ ଆଲୋଚନାର ବିଷୟ ହେଇଛି ।

ଖାସ୍ କରି, ଏଥର ବିଜେପି ଏକାକୀ ବହୁମତ ହାସଲ କରିନଥିବାରୁ, ବାଚସ୍ପତି ପଦର ଗୁରୁତ୍ୱ ଢେର୍ ଗୁଣା ବଢିଯାଇଛି । ତେଣୁ ବିଜେପି ଏବେ ବି ଏହି ଆସନରେ ନିଜ ଦଳର ସାଂସଦଙ୍କୁ ବସାଇବାକୁ ଅଙ୍କ କଷୁଛି । ସରକାର ଗଠନ କରିବା ପରେ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ରେ ବସିବ ।
ପ୍ରଥମ ଦିନରେ ସଂସଦର ଉଭୟ ସଦନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ସେହିପରି ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତ କରିବେ । ସାଂସଦମାନେ ଶପଥ ନେବା ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ।












Click it and Unblock the Notifications