ଦିଦିଙ୍କ ଭବିଷ୍ୟତବାଣୀ: ଡିସେମ୍ବର କି ଜାନୁଆରୀରେ ହେବ ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ: ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଆଗାମୀ ଲୋକସଭା ନିର୍ବାଚନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । ସୋମବାର ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେଇ ଏପରି କହିଛନ୍ତି ଟିଏମସି ସୁପ୍ରିମୋ ।
ଟିଏମସି ଯୁବ ସଂଗଠନର ସମାବେଶକୁ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ବିଜେପି କ୍ରମାଗତ ତୃତୀୟ ଥର ପାଇଁ ଦେଶର କ୍ଷମତାକୁ ଫେରିବ ତେବେ ଦେଶକୁ ଏକଛତ୍ରବାଦୀ ଶାସନର ସାମ୍ନା କରିବାକୁ ପଡିବ ।

ସେ ଆହୁରି କହିଛନ୍ତି ଯେ, ଏଥିପାଇଁ ହେଲିକପ୍ଟର ଗୁଡିକ ଆଗୁଆ ବୁକିଂ ସରିଛି । ଏହା ବିଜେପି ଦ୍ୱାରା ହୋଇଛି । ତେଣୁ ଆଗାମୀ ଦିନରେ ଯେପରି ଅନ୍ୟମାନେ ଠିକ୍ ଭାବେ ପ୍ରଚାର କରିପାରି ବେନି ତାକୁ ନଜରରେ ରଖି ହେଲିକପ୍ଟର ଗୁଡିକୁ ବିଜେପି ଆଗୁଆ ବୁକିଂ କରିଛି । ଟିଏମସି ସୁପ୍ରିମୋଙ୍କ ଏହି ବୟାନ ପରେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି ।
ଏପରିକି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଗିରଫ କରାଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିର୍ବାଚନ ପୂର୍ବରୁ ଗିରଫ କରିବା ନେଇ ସେ ସନ୍ଦେହ କରିଛନ୍ତି । ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଫେରିବ ତାହେଲେ ଦେଶରେ ଏକଛତ୍ରବାଦ ଶାସନ ହେବ ବୋଲି ଦିଦି କହିଛନ୍ତି ।
ଅନ୍ୟପଟେ ଓଡ଼ିଶା ଜୁଲାଇ ସୁଦ୍ଧା ସମସ୍ତ ଇଭିଏମ ପାଇସାରିଛି। ଅକ୍ଟୋବର ୧ରୁ ଇଭିଏମ ଚେକିଂ ଆରମ୍ଭ ହୋଇ ନଭେମ୍ବରରେ ଶେଷ ହେବ । ଆସନ୍ତା ୧୩ରେ ଓଡ଼ିଶା ଆସିବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନକୁ ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।
ତେବେ ସିଇଓ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଟାଳି ଦେଉଥିବା ବେଳେ ସେପ୍ଟେମ୍ବରରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ରାଜନୈତିକ ବିଶେଷଜ୍ଞ । ଆଗୁଆ ନିର୍ବାଚନ ନେଇ ଏହା ଏକ ବଡ଼ ସଂକେତ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications