ନାମାଙ୍କନ ଭରିବେ ମୋଦୀ: ଦଶାଶ୍ୱମେଧ ଘାଟରେ କଲେ ପୂଜାର୍ଚ୍ଚନା, ତୃତୀୟ ଥର ପାଇଁ ବାରଣାସୀରୁ ହୋଇଛନ୍ତି ପ୍ରାର୍ଥୀ
PM Modi Performs Ganga Poojan at Dashashwamedh Ghat: ଆଜି ବାରଣାସୀରୁ ନାମାଙ୍କନପତ୍ର ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧୧ଟା ୪୦ରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାରାଣାସୀର ଦଶାଶ୍ୱମେଧ ଘାଟରେ ପହଞ୍ଚି ମା'ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କାଳଭୈରବଙ୍କ ମନ୍ଦିରରେ ଯାଇ ସେଠାରେ ମଧ୍ୟ ପୂଜାର୍ଚ୍ଚନା କରିବେ । ତେବେ ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ ।

ନାମାଙ୍କନ ଭରିବା ସମୟରେ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ। ସେହିପରି ପ୍ରାୟ ୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୩୬ ଭିଆଇପି ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ରହିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମୟରେ ମୋଦୀଙ୍କ ସହ ଉପସ୍ଥିତ ରହିବେ ।
ନାମାଙ୍କନ ଦାଖଲ କରିବା ପରେ ରୁଦ୍ରାକ୍ଷ କନଭେନସନ୍ ସେଣ୍ଟର ହଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ସୋମବାର ନରେନ୍ଦ୍ର ମୋଦୀ ବାରଣାସୀରେ ବିରାଟ ରୋଡ୍ ଶୋ କରିଥିଲେ। ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରଣାସୀରେ ଭୋଟ୍ ପଡିବ । ଗତକାଲି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ' ଦେଖିବାକୁ ମିଳିଥିଲା ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ସହ ମିଶି ୬ କିଲୋମିଟରର ରୋଡ ସୋ' କରିଥିଲେ ମୋଦୀ । ପ୍ରାୟ ଅଢେଇ ଘଂଟାର ରୋଡ ସୋ' ପରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୩ ଲକ୍ଷ ୩୭ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ । ୨୦୧୯ରେ ମୋଦୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ସାଲିନି ଯାଦବଙ୍କୁ ୪ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ନାମାଙ୍କନ ଭରିବା କାର୍ଯ୍ୟକ୍ରମକୁ ନେଇ ବାରଣାସୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।












Click it and Unblock the Notifications