ପଞ୍ଚଭୂତର ବିଲୀନ ହେଲା ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର
ଆଜି ଏକ ଯୁଗର ଅବସାନ ହୋଇଗଲା। ଭାରତ ବର୍ଷର କିମ୍ବଦନ୍ତୀ ଗାୟିକା, ମା ସରସ୍ଵତୀଙ୍କ ପ୍ରତ୍ଯକ୍ଷ ସ୍ବରୂପୀଣୀ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର ଆଜି ବିଲୀନ ହୋଇଯାଇଛି ପଞ୍ଚଭୂତରେ...
ମୁମ୍ବାଇ: ଆଜି ଏକ ଯୁଗର ଅବସାନ ହୋଇଗଲା। ଭାରତ ବର୍ଷର କିମ୍ବଦନ୍ତୀ ଗାୟିକା, ମା ସରସ୍ଵତୀଙ୍କ ପ୍ରତ୍ଯକ୍ଷ ସ୍ବରୂପୀଣୀ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର ଆଜି ବିଲୀନ ହୋଇଯାଇଛି ପଞ୍ଚଭୂତରେ । 92 ବର୍ଷ ଧରି ସୁର ସାଧନା କରିଥିବା ସୁର ସମ୍ରାଜ୍ଞୀଙ୍କ ଆଜି ପ୍ରତ୍ୟୁଷରୁ ଗମନ ହୋଇଥିଲା ବ୍ରହ୍ମଲୋକକୁ । ଆଜି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ସମାପନ ହୋଇଛି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ।

ମୁମ୍ବାଇ ଶିବାଜି ପାର୍କରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏଥିରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ରାଜ୍ୟପାଳ ଭାଗତ ସିଂହ ଖୋସୀୟାରି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ, ଶାହରୁଖ ଖାନ, ସଚିନ ତେନ୍ଦୁଲକର, ଦେବେନ୍ଦ୍ର ଫଡନବିସଙ୍କ ସମେତ ଅଗଣିତ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ଦେଶ ପାଳନ କରୁଛି ଦୁଇଦିନ ରାଷ୍ଟ୍ରୀୟ ଶୋକ:
ଲତା ମଙ୍ଗେସକରଙ୍କ ଦେହାବସାନ ଏକ ଅଭୂଲା ଐତିହାସିକ କ୍ଷଣ । ଏହି ଦୁଖଦ ବେଳାରେ ଭାରତ ସରକାର ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ଶୋକ । 6 ଏବଂ 7 ଫେବୃଆରୀ ଦୁଇ ଦିନ ଧରି ଶୋକ ଦିବସ ପାଳନ କରାଯିବ। ଏହି ଦୁଇଦିନ ଭାରତର ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ ।
ଆଜି ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ବାବା ରାମଦେବ, ଅଖିଲେଶ ଯାଦବ, ନବୀନ ପଟ୍ଟନାୟକ, ଶିବରାଜ ସିଂହ ଚୌହାନ ପ୍ରମୁଖ ଶୋକ ବ୍ୟକ୍ତ କରିଥିବା ବେଳେ ଶିବାଜି ପାର୍କରେ ସମ୍ପନ୍ନ ହୋଇଥିବା ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଶାହରୁଖ ଖାନ, ଅମିର ଖାନ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଵର୍ଗୀୟ ଲତା ମଙ୍ଗେସକରଙ୍କ ବାସଭବନକୁ ଯାଇ ଅମିତାଭ ବଚ୍ଚନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।












Click it and Unblock the Notifications