ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଲା ବର୍ଷେ ଗତବର୍ଷ , ଅକ୍ଟୋବର ୭ରେ ଇସ୍ରାଏଲରେ ନରସଂହାର ଆରମ୍ଭ କରିଥିଲା ହମାସ୍
ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଲା ବର୍ଷେ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲରେ ନରସଂହାର ରଚିଥିଲେ ହମାସ୍ ଆତଙ୍କୀ। ଆକାଶ ମାର୍ଗରୁ ଓହ୍ଲାଇ ଘରେ ପଶି ସାଧାରଣ ଲୋକ, ମହିଳା ଓ ଛୋଟପିଲାଙ୍କୁ ଖୋଜି ଖୋଜି ଅତି ନୃଶଂସତାର ସହ ହତ୍ୟାକାଣ୍ଡ ଭିଆଇଥିଲେ। ଏହାର ଜବାବରେ ଗାଜାରେ ଥିବା ହମାସ୍ ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ କରିଥିଲା ଇସ୍ରାଏଲ୍ ।

ତେବେ ଏହାକୁ ବର୍ଷେ ପୂରିଥିଲେ ସୁଦ୍ଧା ଏହି ଯୁଦ୍ଧ ଜାରି ରହିବ। ଏଭଳି କିଛି କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେରଜି ହେଲଭି। ଏପଟେ ବର୍ଷପୂର୍ତ୍ତି ପୂର୍ବରୁ ପୁଣି ସ୍ଥିତି ଜାହିର କରିଛି ହମାସ୍। ଗତକାଲି ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରକୁ କରିଛି ଘନଘନ ରକେଟ୍ ମାଡ଼।
ଇସ୍ରାଏଲୀ ସେନା ଆକାଶମାର୍ଗରେ ଗୋଟିଏ ରକେଟ୍ ଧ୍ୱଂସ କରିଥିବା ବେଳେ, ଅନ୍ୟ ରକେଟ ଗୁଡ଼ିକ ଖୋଲା ସ୍ଥାନରେ ଖସିଥିବା ସୂଚନା ଦିଆଯାଇଛି। ଉତ୍ତର ଗାଜା ଆଡ଼ୁ ଏହି ରକେଟ୍ ମାଡ଼ ହୋଇଥିବା କୁହାଯାଉଛି।
ସେପଟେ ପ୍ରତିଶୋଧ ଅପେକ୍ଷାରେ ଥିବା ହେଜବୁଲ୍ଲା ବି ଇସ୍ରାଏଲକୁ ଟାର୍ଗେଟ୍ କରିଛି। ଦକ୍ଷିଣ ଇସ୍ରାଏଲରେ ଲେବାନନ ଆଡ଼ୁ ଡ୍ରୋନ୍ ଆଟାକ୍ ହୋଇଛି। ହାଇଫା ଦକ୍ଷିଣରେ ଥିବା ଇସ୍ରାଏଲୀ ସେନା ଘାଟିରେ ଏହି ଡ୍ରୋନ୍ ଆଟାକ୍ ହୋଇଛି।












Click it and Unblock the Notifications