ମାଂସ ଖାଇବା ଛାଡିଲେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ହେବ ନାହିଁ: IIT ମଣ୍ଡିର ନିର୍ଦ୍ଦେଶକ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ମାଂସ ଖାଇବା ପାଇଁ ପଶୁଙ୍କୁ ହତ୍ୟା କରିବା ଫଳରେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ଘଟୁଛି ବୋଲି ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ମଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏକ ଅଡିଟୋରିୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, 'ନିରୀହ ଜୀବଜନ୍ତୁଙ୍କୁ ହତ୍ୟା କରିବା ସହ ପରିବେଶର ଅବକ୍ଷୟର ସମ୍ପର୍କ ରହିଛି, ଯାହା ପରେ ପ୍ରତିପାଦିତ ହେବ। ତେଣୁ ସେ ଛାତ୍ରମାନଙ୍କୁ ମାଂସ ନ ଖାଇବା ଲାଗି ପରାମର୍ଶ ଦେବା ସହ ମାଂସ ଖାଇବା ଯୋଗୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ପରି ବିପଦ ଆସୁଛି ବୋଲି କହିଛନ୍ତି ।

ପ୍ରାଣୀମାନଙ୍କ ପ୍ରତି ହିଂସାର କାରଣରୁ ଏପରି ବିପଦ ଆସୁଥିବା ସେ ଦର୍ଶାଇଛନ୍ତି । ପ୍ରାଣୀମାନଙ୍କ ସହ ପରିବେଶର ଏକ ମହତ ସମ୍ପର୍କ ରହିଛି । ପ୍ରାଣୀଙ୍କୁ ହତ୍ଯା କରାଯିବା ଦ୍ବାରା ପରିବେଶ ଉପରେ ଏହାର ପ୍ରଭାବ ପଡୁଛି । ଏହାର ଫଳସ୍ବରୂପ ଏପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଘଟୁଛି ବୋଲି ସେ କହିଛନ୍ତି ।
ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ଏକ୍ସ (ପୂର୍ବରୁ ଟ୍ଵିଟର)ରେ ସେୟାର କରିବା ପରେ ଏହା ଭାଇରାଲ ହୋଇଥିଲା । ତେବେ ଲକ୍ଷ୍ମୀଧରଙ୍କ ଏହି ବିବୃତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ଗତବର୍ଷ ବି ସେ ପବିତ୍ର ମନ୍ତ୍ର ପାଠକରି ତାଙ୍କର ଜଣେ ବନ୍ଧୁଙ୍କ ଆପାର୍ଟମେଣ୍ଟସ୍ଥିତ ବାସଭବନରୁ ଭୂତପ୍ରେତ ଦୂର କରିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଥିଲେ । ଏହାକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା ।












Click it and Unblock the Notifications