ରାଜ୍ୟସଭା ଯାଇପାରନ୍ତି କୁମାର ବିଶ୍ୱାସ ! ରେସରେ ନାଁ
ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ପ୍ରସିଦ୍ଧ କବି କୁମାର ବିଶ୍ୱାସ ଖୁବ ଶୀଘ୍ର ରାଜ୍ୟସଭାକୁ ଯାଇପାରନ୍ତି । ୟୁପିରୁ କୁମାରଙ୍କୁ ରାଜ୍ୟସଭା ପଠାଇପାରେ ଭାରତୀୟ ଜନତା ପାର୍ଟି । ୟୁପିର 7 ଟି ଆସନ ପାଇଁ 35 ଜଣ ପ୍ରାର୍ଥୀଙ୍କ ଏକ ପ୍ୟାନେଲ ପ୍ରସ୍ତୁତ ହୋଇଛି । ଯାହା ଭିତରେ ବିଜେପିର ଲୋକପ୍ରିୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ସହିତ କବି କୁମାର ବିଶ୍ୱାସଙ୍କ ନାଁ ମଧ୍ୟ ଥିବା ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶରେ ଫେବୃଆରୀ 27 ରେ ରାଜ୍ୟର ସମସ୍ତ 10 ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆବାସରେ ବିଜେପି କୋର୍ କମିଟିର ବୈଠକ ବସିଥିଲା ।। ଏହି ବୈଠକରେ କେଉଁ ମାନଙ୍କୁ ରାଜ୍ୟସଭା ପଠାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା ହେଇଛି । ରାଜ୍ୟସଭାର ୭ଟି ସିଟ୍ ପାଇଁ 35 ଜଣଙ୍କ ନାଁ ଚୟନ କରାଯାଇଛି । ଏହି 35 ଜଣଙ୍କ ଭିତରୁ 7 ଜଣଙ୍କୁ ହିଁ ବିଜେପି ରାଜ୍ୟସଭା ପଠାଇବ । ଏହି ଲିଷ୍ଟ ଭିତରେ ସୁଧାଂଶୁ ତ୍ରିବେଦୀଙ୍କ ସହିତ କୁମାର ବିଶ୍ୱାସଙ୍କ ନାଁ ଥିବା କୁହାଯାଉଛି । ଖାଲି ସେତିକି ନୁହେଁ, ଯଦି ବି କୁମାର ବିଶ୍ୱାସ ରାଜ୍ୟସଭା ନ ଯାଆନ୍ତି ତେବେ ଭବିଷ୍ୟତରେ ସେ ଲୋକସଭା ନିର୍ବାଚନ ମଧ୍ୟ ଲଢିପାରନ୍ତି ବୋଲି କୁହାଯାଉଛି । ବିଜେପି ଟିକେଟରୁ ସେ ୟୁପିର ଗାଜିଆବାଦ୍ ଲୋକସଭା ସିଟରେ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଉଭୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ, ଭୁପେନ୍ଦ୍ର ଚୌଧୁରୀ ଏବଂ ସଂଗଠନର ମୁଖ୍ୟ ସଚିବ ଧରମପାଲ ସିଂ ଉପସ୍ଥିତ ଥିଲେ।












Click it and Unblock the Notifications