କୋଲକାତା ଆରଜି କର ମେଡ଼ିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ସୁପ୍ରିମକୋର୍ଟରେ ଆଜି ଶୁଣାଣି
କୋଲକାତା ଆରଜି କର ମେଡ଼ିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତି ଡିୱା.ଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାଦ୍ରିୱାଲା, ଜଷ୍ଟିସ ମନୋଜ ମିଶ୍ର ଆଜି ସକାଳ ୧୦ଟା ୩୦ ସମୟରେ ଏହି ମାମଲା ଉପରେ ଶୁଣାଣି କରିବାକୁ ଯାଉଛନ୍ତି।
ତେବେ ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଏବଂ ଡାକ୍ତରଖାନାରେ ଭଙ୍ଗାରୁଜା ମାମଲାରେ ସମସ୍ତ ତଥ୍ୟ ମଗାଇ ଏହାର ଅନୁଧ୍ୟାନ କରିଛନ୍ତି । ଏହି ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାକୁ ସର୍ବୋଚ୍ଚ ଅଦାଲତ ମଧ୍ୟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ।
ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତର ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହାକୁ ନେଇ ୧୮ ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ସପ୍ତାହେ ବ୍ୟାପୀ ଏନେଇ ଡାକ୍ତର ମାନଙ୍କ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଜାର ରହିଥିବା ବେଳେ ଆଜି ଏହା ଉପରେ ଶୁଣାଣି ହେବାକୁ ଯାଉଛି ।

ସେପଟେ ଟ୍ରେନି ଡାକ୍ତର ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଡାକ୍ତରଙ୍କ ଶରୀରରେ ୧୪ଟି କ୍ଷତଚିହ୍ନ ରହିଥିଲା ବୋଲି ରିପୋର୍ଟରେ ଲେଖାଯାଇଛି, ଯାହା ଦୁଷ୍କର୍ମକାରୀର ପାଶବିକ ବର୍ବରତାକୁ ପ୍ରକାଶ କରୁଛି। ମହିଳା ଡାକ୍ତର ଜଣଙ୍କୁ ବଳପୂର୍ବକ ଦୁଷ୍କର୍ମ ସହ ତଣ୍ଟି ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି କ୍ଷତରୁ ଦୁଷ୍କର୍ମ ଓ ହତ୍ୟା ପୂର୍ବରୁ ମହିଳା ଡାକ୍ତର ଜଣକ ନିଜକୁ ସୁରକ୍ଷା ଦେବାକୁ ଯଥାସମ୍ଭବ ଚେଷ୍ଟା କରିଥିବା ଅନୁମାନ କରାଯାଉଛି।












Click it and Unblock the Notifications