ଜାଣନ୍ତୁ କିଭଳି ଥିଲା ମନମୋହନ ସିଂଙ୍କ ରାଜନୈତିକ ଯାତ୍ରା
ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କର ଗୁରୁବାର, ୨୬ଡିସେମ୍ୱର ୨୦୨୪ରେ ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ମନମୋହନ ସିଂହଙ୍କୁ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ଗୁରୁବାର ସନ୍ଧ୍ୟାରେ ଏମ୍ସ ନୂଆଦିଲ୍ଲୀରେ ଭର୍ତ୍ତି କରାଯାଇ ଥିଲା , ଯେଉଁଠି ତାଙ୍କର ଚିକିତ୍ସା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଡକ୍ଟର ମନମୋହନ ସିଂହ 1932 ମସିହା ସେପ୍ଟେମ୍ବର 26ରେ ବର୍ତ୍ତମାନର ପାକିସ୍ତାନର ଚକଓ୍ୱାଲ ଜିଲ୍ଲାର ଗାହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ବାପାଙ୍କ ନାଁ ଗୁରମୁଖ ସିଂ ଓ ମାଙ୍କ ନାଁ ଅମ୍ରିତ କୌର ଅଟେ । ତେବେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି । 1982ରୁ 1985 ଯାଏ ଆରବିଆଇ ଗର୍ଭର୍ଣ୍ଣର ଭାବେ କାର୍ଯ୍ୟ କରିଥିଲେ ।

ମନମୋହନ ସିଂହଙ୍କ ରାଜନୈତିକ ଯାତ୍ରା ୧୯୯୦ ଦଶକର ପ୍ରାରମ୍ଭରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ଭାରତୀୟ ଅର୍ଥନୀତିକୁ ଉଦାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅନ୍ୟପ୍ରକାରେ କହିଲେ ଭାରତରେ ଥିବା ଲାଇସେନ୍ସରାଜକୁ ଲୋପ କରି ଅର୍ଥନୀତିକୁ ଖୋଲିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା । ୧୯୯୧ ମସିହାରେ ଦେଶ ସମ୍ମୁଖୀନ ହୋଇଥିବା ଗମ୍ଭୀର ଅର୍ଥନୈତିକ ସଙ୍କଟକୁ ଦୂର କରିବାର କ୍ରେଡିଟ ତାଙ୍କୁ ଦିଆଯାଏ ।ଅର୍ଥମନ୍ତ୍ରୀ ହେବା ପରେ ସେ କିଛି ବର୍ଷ ଧରି ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ । ପରେ ୨୦୦୪ରେ ସେ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ମନମୋହନ ସିଂ 2004ରୁ 2014 ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ନରେନ୍ଦ୍ର ମୋଦିଙ୍କ ପରେ ସେ ଦୀର୍ଘ ଦିନ ଧରି ପଦରେ ରହିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ ଅଟନ୍ତି । ଏହା ବ୍ୟତୀତ ସେ ଏକମାତ୍ର ଶିଖ ରାଜନେତା ଯିଏକି ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ତେବେ ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିକ କାରଣରୁ ସକ୍ରିୟ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ ।
ମନମୋହନ ସିଂହଙ୍କ ରାଜନୈତିକ ଯାତ୍ରା ବେଶ ସଫଳ ଥିଲା । ପ୍ରଧାନମନ୍ତ୍ରୀ ହେବା ସହ ସେ ଦେଶର ଅନ୍ୟ ଉଚ୍ଚ ପଦବୀରେ ବି କାମ କରିଛନ୍ତି। ତାଙ୍କର କାର୍ଯ୍ୟଦକ୍ଷତା ତଥା ସରଳ ନେତୃତ୍ବ ପାଇଁ ସେ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ବି ବେଶ ସୁନାମ ଅର୍ଜନ କରିଛନ୍ତି ।












Click it and Unblock the Notifications