ବାଂଲାଦେଶ ଛାଡିଲେ ଖାଲିଦା ଜିଆ,ଜାଣନ୍ତୁ କାରଣ
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ମୁଖ୍ୟ ଖାଲେଦା ଜିଆ ମଙ୍ଗଳବାର ବିଳମ୍ବିତ ରାତିରେ ଲଣ୍ଡନ ଯାତ୍ରା କରିଛନ୍ତି। କାତାରର ଆମିର୍ ଶେଖ ତମିମ ବିନ୍ ହମାଦ ବିନ୍ ଖଲିଫା ଅଲ ଥାନିଙ୍କ ଦ୍ୱାରା ପଠାଯାଇଥିବା ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଢାକାର ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା କରିଛନ୍ତି। ତାଙ୍କୁ ବିଦାୟ ଦେବା ପାଇଁ ଶତାଧିକ ସମର୍ଥକ ଏବଂ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଖାଲିଦା ଜିଆ ଏଭଳି ଏକ ସମୟରେ ଦେଶ ଛାଡିଛନ୍ତି ଯେତେବେଳେ ବାଂଲାଦେଶ ଏକ ଗୁରୁତର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅଗଷ୍ଟ ୨୦୨୪ ରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଛାତ୍ରମାନଙ୍କ ନେତୃତ୍ୱରେ ଏକ ପ୍ରମୁଖ ଜନ ଆନ୍ଦୋଳନ ପରେ କ୍ଷମତା ଛାଡିବାକୁ ପଡିଥିଲା। ଏହା ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦାୟିତ୍ବ ଗ୍ରହଣ କରିଥିଲେ। ୟୁନୁସ୍ ୨୦୨୬ ର ପ୍ରଥମାର୍ଦ୍ଧରେ କିମ୍ବା ତା'ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ କରିବାକୁ ଯୋଜନା କରିଛନ୍ତି।

ଖାଲିଦା ଜିଆଙ୍କ ଡାକ୍ତରଙ୍କ ଅନୁଯାୟୀ, ଲିଭର ସିରୋସିସ୍, ହୃଦ ରୋଗ ଏବଂ କିଡନୀ ଭଳି ତାଙ୍କର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି। ତାଙ୍କର ଘନିଷ୍ଠ ସହଯୋଗୀ ଏନାମୁଲ ହକ ଚୌଧୁରୀ କହିଛନ୍ତି ଯେ, ତାଙ୍କର ଚିକିତ୍ସା ଲଣ୍ଡନରେ କରାଯିବ। ସେଠାରେ ତାଙ୍କର ବଡ ପୁଅ ତଥା ବିଏନପିର କାର୍ଯ୍ୟକାରୀ ସଭାପତି ତାରିକ ରେହମାନ ଅଛନ୍ତି।
ବାଂଲାଦେଶର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଖାଲିଦା ଜିଆ ଏବଂ ଶେଖ ହସିନାଙ୍କୁ ଗଣନା କରାଯାଏ । ସେମାନଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦଶନ୍ଧି ଧରି ଦେଶର ରାଜନୀତିରେ ପ୍ରଭାବ ପକାଇଛି। ଜିଆଙ୍କ ଚିକିତ୍ସା ପାଇଁ ଏହି ଯାତ୍ରା ଏପରି ଏକ ସମୟରେ ଘଟିଛି ଯେତେବେଳେ ତାଙ୍କ ସମର୍ଥକମାନେ ଦେଶର ଭବିଷ୍ୟତ ଏବଂ ଆଗାମୀ ନିର୍ବାଚନ ଉପରେ ତୀକ୍ଷଣ ନଜର ରଖିବା ଆବଶ୍ୟକ କରୁଛନ୍ତି।












Click it and Unblock the Notifications