ଆଜି PMLA କୋର୍ଟରେ ହାଜର ହେବେ କେଜ୍ରିୱାଲ
ବଢିଲା କେଜ୍ରିୱାଲଙ୍କ ଅଡ଼ୁଆ । ଇଡି ହେପାଜତରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ସ୍ୱତନ୍ତ୍ର PMLA କୋର୍ଟରେ ତାଙ୍କୁ ହାଜର କରାଯିବ।

ଅନ୍ୟପଟେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, 'କେଜ୍ରିୱାଲଙ୍କ ପ୍ରତି ଦେଖାଯାଇଥିବା ସହାନଭୂତି ପାଇଁ ମୁଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏମ.କେ ଷ୍ଟାଲିନ, ଅଖିଳେଶ ଯାଦବଙ୍କ ସମେତ ସମସ୍ତ ବିରୋଧୀଦଳର ନେତାଙ୍କୁ ଧନ୍ୟବାଦ ଜଣାଉଛି। କେଜ୍ରିୱାଲଙ୍କୁ ଯାହା କରାଯାଉଛି ତାହା ହେଉଛି ଅନ୍ୟାୟ ।
ଆଜି କେଜ୍ରିୱାଲଙ୍କର ସମସ୍ତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସେପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆପ୍ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣି ହେବ।
ବିଳମ୍ବିତ ରାତିରେ ତତ୍କାଳ ଶୁଣାଣି ପାଇଁ ଗତକାଲି ଆପ୍ ପକ୍ଷରୁ ନିବେଦନ କରାଯାଇଥିଲା। ହେଲେ ସୁପିମ କୋର୍ଟ ଗତ ରାତିରେ ଶୁଣାଣି ପାଇଁ ମନା କରିଥିବା ବେଳେ ଆଜି ଏହାର ଶୁଣାଣି କରିବେ। ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉନଥିଲେ।
ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡି ଟିମ୍ ଗତକାଲି କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା । ଦୁଇ ଘଣ୍ଟା ଧରି ଜେରା କରିଯିବା ପରେ ଇଡି ଟିମ୍ ଗତ ରାତିରେ ତାଙ୍କୁ ଗିରଫ କରିଥିଲା। ତେବେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛି ଆମ୍ ଆଦମି ପାର୍ଟି। ଯାହାର ଜବାବ ରଖିଛି ବିଜେପି।












Click it and Unblock the Notifications