ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବା ପଛର କାରଣ କହିଲେ କେଜ୍ରିୱାଲ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୫୦ ଦିନ ପରେ ମୁକୁଳିଛନ୍ତି। ତାଙ୍କୁ ସୁପ୍ରିମକୋର୍ଟ ୨୧ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜୁନ୍ ୨ ତାରିଖରେ ସେ ଆତ୍ମସମର୍ପଣ କରିବେ। ଶୁକ୍ରବାର ଅନ୍ତରୀଣ ଜାମିନରେ ତିହାର ଜେଲ୍ରୁ ବାହାରିବା ପରେ ଶନିବାର ସେ ତାଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଓ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ରୋଡ୍ ଶୋ' କରିଥିଲେ।

ଦିଲ୍ଲୀ ସ୍ଥିତ ଆପ୍ର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଗିରଫ ହେବା ସତ୍ତ୍ୱେ ସେ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ପଦ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏକ ମିଛ ମାମଲାରେ ମୋତେ ଫସାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାପ ପକାଇବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା। ତେଣୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି ନାହିଁ।
କେଜ୍ରିୱାଲ କହିଥିଲେ, ଯଦି ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୋଧୀ ଲଢ଼େଇ ସଂପର୍କରେ ଶିକ୍ଷାଲାଭ କରିବାକୁ ଚାହୁଁଥା'ନ୍ତି, ତା'ହେଲେ ସେ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ଶିଖିବା ଉଚିତ। ଆମେ ଦୁର୍ନୀତିଗ୍ରସ୍ତଙ୍କୁ ଜେଲ୍ ପଠାଇଛୁ। ଏମିତିକି ଆମେ ଆମର ମନ୍ତ୍ରୀମାନଙ୍କୁ ଜେଲ୍ ପଠାଇଛୁ। ଆପ୍ର ଚାରି ଜଣ ପ୍ରମୁଖ ନେତାଙ୍କୁ ଜେଲ୍ ପଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ୍କୁ ଭାଙ୍ଗି ଦେବାକୁ ସବୁ ପ୍ରକାର ପ୍ରୟାସ କରିଥିଲେ। ସେମାନେ (ବିଜେପି) ଭାବୁଥିଲେ ଦଳ ନଷ୍ଟ ହୋଇଗଲା। କିନ୍ତୁ ଆପ୍ କେବଳ ଏକ ଦଳ ନୁହେଁ, ଏହା ଏକ ମୂଲ୍ୟବୋଧ। ସେମାନେ ଯେତେ ଅଧିକ ଏହାକୁ ନଷ୍ଟ କରିବାକୁ ଚେଷ୍ଟା କରିବେ, ଏହା ଆହୁରି ଉନ୍ନତି କରିବ।












Click it and Unblock the Notifications