କରୁର ଦଳାଚକଟା ଘଟଣା.ବିଜୟଙ୍କୁ ସମନ କଲା ସିବିଆଇ
ଟିଭିକେର ପ୍ରତିଷ୍ଠାତା ବିଜୟଙ୍କ ଅଡ଼ୁଆ ବଢ଼ିଛି। କରୁର ଦଳାଚକଟା ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ବିଜୟଙ୍କୁ ହାଜର ହେବାକୁ ସମନ କରିଛି। ତାଙ୍କୁ ଆସନ୍ତା ୧୨ ତାରିଖରେ ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସରେ ନିର୍ଦ୍ଦେଶ ମିଳିଛି। ସେପ୍ଟେମ୍ବର ୨୭ରେ ବିଜୟଙ୍କ ରାଜନୀତିକ ଦଳ ଟିଭିକେ କରୁର ଠାରେ କରିଥିବା ସଭାରେ ବ୍ୟାପକ ଦଳାଚକଟା ହୋଇଥିଲା। ଏଥିରେ ୪୧ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ।
ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଲକ୍ଷାଧିକ ଲୋକ ଏକାଠି ହେବାରୁ ଏପରି ସ୍ଥିତି ଘଟିଥିଲା। ଘଟଣାକୁ ନେଇ ବିବାଦ ବଢ଼ିବାରୁ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି। ବିଜୟଙ୍କୁ ଆଜି ସମନ କରିବା ପୂର୍ବରୁ ସିବିଆଇ ପକ୍ଷରୁ ଟିଭିକେର ବରିଷ୍ଠ ନେତା ଓ ଅଧିକାରୀଙ୍କୁ ଜେରା କରାଯାଇଥିଲା।

କିନ୍ତୁ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ସିବିଆଇ କରିବ ବୋଲି କହିଥିଲେ। କରୁର ଦଳାଚକଟା ଜାତୀୟ ଚେତନାକୁ ଦୋହଲାଇ ଦେଇଛି ଓ ଏହାର ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ନିଜ ରୁଲିଂରେ ଉଲ୍ଲେଖ କରିଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଅଧିକାରୀମାନେ ତାମିଲନାଡୁ ଏସ୍ଆଇଟି ଠାରୁ ତଦନ୍ତ ଦାୟିତ୍ୱ ନେଇଥିଲେ। ତଦନ୍ତ ସମୟରେ ସିବିଆଇ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ଅନୁମତି, ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ, ପୁଲିସ ଫୋର୍ସର ମୁତୟନ ଓ ଜରୁରୀ ସ୍ଥିତିର ମୁକାବିଲା ପାଇଁ କ'ଣ ସବୁ ବ୍ୟବସ୍ଥା ହୋଇଥିଲା, ତା'ର ଯାଞ୍ଚ କରିଛି। ଏଥିସହ ଟିଭିକେ କର୍ମକର୍ତ୍ତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି।
ଟିଭିକେ ରାଜ୍ୟ ସାଧାରଣ ସମ୍ପାଦକ ବୁସୀ ଆନନ୍ଦ, ଯୁଗ୍ମ ସମ୍ପାଦକ ନିର୍ମଳ କୁମାର, ଅର୍ଜୁନ ଓ କରୁର ପଶ୍ଚିମ ଜିଲ୍ଲା ସମ୍ପାଦକ ମାଥିଆଝାଗନଙ୍କୁ ସିବିଆଇ ଜେରା କରି ସାରିଛି। ଏବେ ବିଜୟଙ୍କୁ ସିବିଆଇ କରିଛି ସମନ ।












Click it and Unblock the Notifications