କର୍ଣ୍ଣାଟକ ସରକାରକୁ ଝଟକା: ଆର୍ଏସ୍ଏସ୍ ଉପରେ କଟକଣା ଆଦେଶକୁ ରୋକିଲେ ହାଇକୋର୍ଟ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ବିଭିନ୍ନ କାର୍ଯ୍ୟକ୍ରମ ଓ ସଭାସମିତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କର୍ଣ୍ଣାଟକ ସରକାର ନେଇଥିବା ନିଷ୍ପତ୍ତି ଉପରେ ଆଜି ହାଇକୋର୍ଟ ରୋକ୍ ଲଗାଇଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ କୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ ସରକାରଙ୍କ ଏହି ପଦକ୍ଷେପ ଉପରେ କଡ଼ା ପ୍ରଶ୍ନ ଉଠାଇଛନ୍ତି ଏବଂ ଏଭଳି ଅଧିକାର ସରକାରକୁ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ଆର୍ଏସ୍ଏସ୍ ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ ନେଇ ବିଭିନ୍ନ ମହଲ କଡ଼ା ସମାଲୋଚନା ଜାରି ରଖିଥିବା ବେଳେ ଆଜି ହାଇକୋର୍ଟଙ୍କ ଏହି ରାୟ କଂଗ୍ରେସ ସରକାର ପାଇଁ ବଡ଼ ଝଟ୍କା ବୋଲି ବିବେଚନା କରାଯାଉଛି।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ କର୍ଣ୍ଣାଟକ ସରକାର ଏକ ଆଦେଶ ଜାରି କରିଥିଲେ, ଯେଉଁଥିରେ ପାର୍କ, ରାସ୍ତା, ଖେଳ ପଡ଼ିଆ, ଶିକ୍ଷାନୁଷ୍ଠାନ ପରିସରରେ ଆର୍ଏସ୍ଏସ୍ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିପାରିବ ନାହିଁ ବୋଲି କୁହାଯାଇଥିଲା। ଏହି ଆଦେଶ ଅନୁସାରେ ଆର୍ଏସ୍ଏସ୍ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏଭଳି ଆଦେଶକୁ ଅଗଣତାନ୍ତ୍ରିକ ଏବଂ ସମ୍ବିଧାନ ବିରୋଧୀ ବୋଲି ଜଷ୍ଟିସ୍ ଏମ୍. ନାଗପ୍ରସନ୍ନାଙ୍କ ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି। ଅଦାଲତ ଆଜି ଏହି ଆଦେଶ ଉପରେ ରହିତାଦେଶ ଜାରି କରିବା ସହ ଏହା ଯେଭଳି କଡ଼ାକଡ଼ି ଭାବେ ପାଳନ ହୁଏ ସେଥିପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସଂଗଠନ ବିରୋଧରେ କୌଣସି ବଳିଷ୍ଠ ଆଧାର ନଥାଇ ଏପରି ପ୍ରତିବନ୍ଧକ ଲଗାଇବା କଦାପି ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।












Click it and Unblock the Notifications