କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନାମ ମନ୍ଥନ ମଧ୍ୟରେ ଆସିଲା ବଡ ଖବର, ମେ’ 18 ତାରିଖରେ ହେବ ଶପଥ ଗ୍ରହଣ ସମାରୋହ
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ମେ 18 ରେ ରାଜ୍ୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏନେଇ ଅନେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ସୂଚନାନୁସାରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ଏହା ସହିତ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ସମସ୍ତ ପାର୍ଟିକୁ ନିମନ୍ତ୍ରଣ ମଧ୍ୟ ପଠାଯିବ । ତେବେ ବର୍ତ୍ତମାନ କଂଗ୍ରେସ ପୂର୍ବରୁ ସବୁଠାରୁ ବଡ ଆହ୍ୱାନ ହେଉଛି ମୁଖ୍ୟମନ୍ତ୍ରୀ ଚୟନ । ଦଳର ବିବୃତ୍ତି ଅନୁଯାୟୀ କର୍ଣ୍ଣାଟକରେ ପରବର୍ତ୍ତୀ ସିଏମ୍ କିଏ ହେବ ସେ ନେଇ
ରାଜ୍ୟ ପର୍ଯ୍ୟବେକ୍ଷକ ସମସ୍ତ ବିଧାୟକଙ୍କ ସହ କଥାବାର୍ତ୍ତା ହେବା ପରେ ହିଁ ନିଷ୍ପତ୍ତି ନିଆଯିବ ।

ତେବେ ଆଶା କରାଯାଉଛି ଖୁବଶୀଘ୍ର କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଡି.କେ ଶିବକୁମାରଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସେ ରବିବାର ଦିନ କହିଛନ୍ତି କି ଦଳ ପାଇଁ ସେ ଅନେକ ବଳିଦାନ ଦେଇଛନ୍ତି ।
ଡି.କେ ଶିବକୁମାର କହିଛନ୍ତି ଯେ, କିଛି ଲୋକ କହୁଛନ୍ତି ଯେ ସିଦ୍ଧିରମୈୟାଙ୍କ ସହ ମୋର କିଛି ମତଭେଦ ଅଛି । କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏପରି କିଛି ନାହିଁ । ସିଦ୍ଧିରମୈୟା ଏବଂ ମୋ ମଧ୍ୟରେ କୌଣସି ମତଭେଦ ନାହିଁ । ମୁଁ ପାର୍ଟି ପାଇଁ ଅନେକ ଥର ବଳିଦାନ ଦେଇଛି ଏବଂ ସିଦ୍ଧରମୈୟା ଜୀଙ୍କ ସହ ମଧ୍ୟ ଛିଡା ହୋଇଛି । ମୁଁ ସର୍ବଦା ସିଦ୍ଧରମୈୟାଙ୍କୁ ସମର୍ଥନ କରି ଆସୁଛି ।
ସେପଟେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପ୍ରକ୍ରିୟା ଜାରି ରହିଛି । ଏନେଇ ଦଳ ତରଫରୁ 3 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି ଏହି ପର୍ଯ୍ୟବେକ୍ଷକମାନେ ଦଳର ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ଓ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏହାସହ ସେ ମୁଖ୍ୟମନ୍ତ୍ରୀ ପଦ ନେଇ ଦଳ ଭିତରେ କୌଣସି ଦ୍ୱନ୍ଦ ନଥିବା କଥା ସ୍ପଷ୍ଟ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଦଳର ରାଜ୍ୟ ସଭାପତି ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଉଛି ।












Click it and Unblock the Notifications