ଗଣେଶ ଭସାଣି ଶୋଭାଯାତ୍ରା ସମୟରେ ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ,୯ ମୃତ, ୨୦ରୁ ଊର୍ଦ୍ଧ୍ୱ ଗୁରୁତର
କର୍ନାଟକ ହାସନ ଜିଲାର ଏକ ଗାଁରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ମଧ୍ୟକୁ ଏକ ଟ୍ରକ୍ ମାଡ଼ିଯିବାରୁ ୯ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଗଣେଶ ଚତୁର୍ଥୀ ପାଳନର ଶେଷ ଦିନ ଥିବାବେଳେ ରାତି ୮ଟା ୪୫ ମିନିଟ୍ ସମୟରେ ମୋସାଲେ ହୋସାହାଲି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୁବକ। ଆହତମାନଙ୍କୁ ହାସନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ରାଜପଥର ଗୋଟିଏ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ଭିଡ଼ ଗଣେଶ ଉତ୍ସବ ପାଳନ କରୁଥିଲା, ଯେତେବେଳେ ଅନ୍ୟ ପାର୍ଶ୍ୱରେ ଯାନବାହନ ଯାଉଥିଲା। ସେତେବେଳେ ହଠାତ୍ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଡିଭାଇଡର୍ ପାର ହୋଇ ସିଧା ଲୋକଙ୍କ ଉପରେ ଚଢ଼ିଗଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହି ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ହୋସାହାଲିରେ ଗଣପତି ବିସର୍ଜନ ଶୋଭାଯାତ୍ରା ସମୟରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାର ଖବର ଶୁଣି ମୁଁ ମର୍ମାହତ। ଏଥିରେ ଅନେକ ଭକ୍ତ ପ୍ରାଣ ହରାଇଛନ୍ତି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।












Click it and Unblock the Notifications