କଂଗ୍ରେସ ଛାଡ଼ିବେ କି କମଲନାଥଙ୍କ ପୁଅ ?
ମଧ୍ୟପ୍ରଦେଶର ରାଜନୀତି ପୁଣି ଥରେ ସରଗରମ ହୋଇଛି । ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ କଂଗ୍ରେସ ଛାଡିବା ନେଇ ଆଲୋଚନା ତୀବ୍ର ହୋଇଛି । ସେ ତାଙ୍କ ପୁଅ ତଥା ଛିନ୍ଦୱାଡା ଏମ୍ପି ନାକୁଲନାଥଙ୍କ ସହ ବିଜେପିରେ ଯୋଗ ଦେଇପାରନ୍ତି । ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନରୁ ଲୋକସଭା ସାଂସଦ ନାକୁଲ ନାଥଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ ଦଳର ନାମ ଏବଂ ଲୋଗୋ ମଧ୍ୟ ହଟାଇ ଦେଇଛନ୍ତି । କମଲ ନାଥଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ ବାପା ଏବଂ ପୁତ୍ର ସାଙ୍ଗ ହୋଇ ଫେବୃଆରୀ ୧୯ ରେ ବିଜେପିରେ ଯୋଗ ଦେଇପାରନ୍ତି ।
ହେଲେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ । ଏପରିକି ସେ ଯଦି କଂଗ୍ରେସ ଛାଡ଼ନ୍ତି ତେବେ କେଉଁ ଦଳରେ ଯୋଗଦେବେ ସେ ନେଇ କୌଣସି ସୂଚନା ମିଳିନାହିଁ । କମଲ ନାଥ ତାଙ୍କ ଛିନ୍ଦୱାଡା ଯାତ୍ରା ମଧ୍ୟଭାଗକୁ ବାତିଲ କରି ପୁଅ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି, ଯାହା ତାଙ୍କୁ ଦଳ ଛାଡିବା ଚର୍ଚ୍ଚାକୁ ମଜଭୁତ୍ କରିଦେଇଛି ।

ଏଥି ସହ କମଲ ନାଥଙ୍କ ବିଜେପିରେ ଯୋଗଦେବା ନେଇ ବିଜେପି ନେତାମାନେ ମଧ୍ୟ ସୂଚନା ଦେବା ଆରମ୍ଭ କରି ଦେଇଛନ୍ତି । ମଧ୍ୟପ୍ରଦେଶ ବିଜେପି ନେତା ତଥା ରାଜ୍ୟ ମୁଖପାତ୍ର ନରେନ୍ଦ୍ର ସାଲୁଜା ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ କମଲ ନାଥ ତାଙ୍କ ପୁଅ ନାକୁଲ ନାଥ ଏବଂ ଅନ୍ୟ ଲୋକଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି । ବିଜେପି ନେତା ଏହି ଫାଟୋର କ୍ୟାପସନରେ 'ଜୟ ଶ୍ରୀ ରାମ' ଲେଖିଛନ୍ତି ।
ନାକୁଲନାଥଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ କଂଗ୍ରେସର ନାମ ଏବଂ ଲୋଗୋ ଅଦୃଶ୍ୟ ହେତୁ ତାଙ୍କ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ତିନୋଟି ସୋସିଆଲ ମିଡିଆ ପ୍ଲାଟଫର୍ମ, ଏକ୍ସ (ଟ୍ୱିଟର), ଇନଷ୍ଟାଗ୍ରାମ ଏବଂ ଫେସବୁକରୁ ଲୋଗୋ ଏବଂ ନାମ ହଟାଇ ଦେଇଛନ୍ତି ।
ଏହା ବଦଳରେ ସେ ଲେଖିଛନ୍ତି, 'ସାଂସଦ, ଛିନ୍ଦୱାଡା (ମଧ୍ୟପ୍ରଦେଶ) ।' ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ କମଲ ନାଥ ବିଜେପିରେ ଯୋଗଦେବା ନେଇ ଆଲୋଚନା ହୋଇଥିଲା । ବର୍ତ୍ତମାନ ପୁଅଙ୍କ ପ୍ରୋଫାଇଲରୁ ବାୟୋ ପରିବର୍ତ୍ତନ କରିବା ପରଠାରୁ ସେ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି।












Click it and Unblock the Notifications