ପଦ୍ମ ଧରିଲେ କୈଳାଶ , ଗତକାଲି ଆପରୁ ଦେଇଥିଲେ ଇସ୍ତଫା
ନୂଆଦିଲ୍ଲୀ : ମନ୍ତ୍ରୀ ପଦ ଏବଂ ଆମ ଆଦମୀ ପାର୍ଟି ରୁ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା କୈଳାଶ ଗେହଲୋଟ। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ କାର୍ଯ୍ୟାଳୟରେ ଭାଜପାରେ ସାମିଲ କରାଇଛନ୍ତି। ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ସହ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ଙନିଷ୍ଠ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ ଦଳ ଦେଇଥିବା ପ୍ରତିଶୃତି ପୂରଣ ନ କରିବା ଏବଂ ବିବାଦରେ ଥିବା ଦର୍ଶାଇ ଆପରୁ ଇସ୍ତଫା ଦେଇଥିଲେ।
ଗେହଲଟ୍ ଇସ୍ତଫା ପତ୍ରରେ କହିଥିଲେ, ''ଗତ ନିର୍ବାଚନରେ ଆମେ ଯମୁନା ନଦୀକୁ ସଫା କରିବାକୁ ପ୍ରତିଶୃତି ଦେଇଥିଲୁ, କିନ୍ତୁ ଏହା କରିପାରିଲୁ ନାହିଁ। ଯଦି ଦିଲ୍ଲୀ ସରକାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ, ତେବେ କୌଣସି ପ୍ରଗତି ହୋଇପାରିବ ନାହିଁ। ମୋ ପାଖରେ ଆପରୁ ଇସ୍ତଫା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।

ତେବେ ଆଜି ବିଜେପିରେ ଯୋଗଦେବା ପରେ ଗହଲୋଟ୍ କହିଛନ୍ତି, ଏହା ମୋ ପାଇଁ ଏତେ ସହଜ ପଦକ୍ଷେପ ନୁହେଁ... ଆନ୍ନା ହାଜାରେଙ୍କ ସମୟରୁ ମୁଁ ଆପର ଏକ ଅଂଶ ଥିଲି ଏବଂ ବିଧାୟକ ଓ ମନ୍ତ୍ରୀ ଭାବେ ଦିଲ୍ଲୀ ପାଇଁ କାମ କରିଛି। କେହି କେହି ଭାବି ପାରନ୍ତି ଏହା ଗୋଟିଏ ରାତିର ନିଷ୍ପତ୍ତି... କିମ୍ବା ଚାପ କାରଣରୁ ମୁଁ ଇସ୍ତଫା ଦେଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଚାପ ପାଇଁ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ।"
ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ। ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନରେ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା, ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ, କେନ୍ଦ୍ର ମନ୍ତ୍ରୀ ହର୍ଷ ମଲହୋତ୍ରା ଏବଂ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ଅନ୍ୟ ନେତାମାନେ ତାଙ୍କୁ ଦଳରେ ସ୍ବାଗତ କରିଥିଲେ। ଆମ ଆଦମୀ ପାର୍ଟିକୁ ଚକିତ କରି କୈଳାଶ ଗେହଲୋଟ ରବିବାର ଏଏପିର ପ୍ରାଥମିକ ସଦସ୍ୟତା ଛାଡିଥିଲେ। ଏଏପି ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କୈଳାଶ ଗେହଲୋଟଙ୍କ ଭାଜପାରେ ଯୋଗଦେବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ସେମାନେ ଚାହୁଁଥିବା ସ୍ଥାନକୁ ଯିବା ପାଇଁ ମୁକ୍ତ।












Click it and Unblock the Notifications