ନିଲମ୍ବନ ପରେ ବିଆରଏସ୍ ଓ MLC ପଦରୁ କେ କବିତାଙ୍କ ଇସ୍ତଫା
ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (BRS) ନେତା କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। କବିତାଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) ନେଇଛନ୍ତି। ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କବିତା ମଧ୍ୟ MLC ପଦରୁ ଇସ୍ତଫା ଦେଇଛନ୍ତି। କବିତା କହିଛନ୍ତି, ତିହାର ଜେଲରୁ ମୁକ୍ତ ହେବା ପରେ ମୁଁ ବିଭିନ୍ନ ପ୍ରସଙ୍ଗରେ ଲଢ଼ୁଛି। ବିରୋଧୀମାନେ ଚାହାଁନ୍ତି ଯେ ଆମେ ଏକ ନ ରହୁ।ଏଭଳି ହଠାତ୍ ବିଆରଏସ ତାଙ୍କୁ ନିଲମ୍ବନ କରିବା ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି କେ.କବିତା।
ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ବିଷୟରେ ଘୋଷଣା କରି କେ.କବିତା କହିଛନ୍ତି ଯେ,"ଏହା ବହୁତ ଯନ୍ତ୍ରଣାଦାୟକ ଯେ, ମୋତେ ହଠାତ୍ ବିଆରଏସ ଦଳରୁ ନିଲମ୍ବିତ କରାଯାଇଛି। ଏବେ ମୁଁ ଏମଏଲସି ପଦବୀ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ମୁଁ ମୋ ଇସ୍ତଫାପତ୍ର ବାଚସ୍ପତି ଏବଂ (ଦଳ ମୁଖ୍ୟ ଏବଂ ତାଙ୍କ ପିତା) କେ ଚନ୍ଦ୍ରଶେଖର ରାଓଙ୍କ ନିକଟକୁ ପଠାଇଛି। ମୁଁ କୌଣସି ଦଳ ସହିତ ହାତ ମିଳାଇବି ନାହିଁ। କିନ୍ତୁ ତେଲେଙ୍ଗାନା ଜାଗୃତି ସଦସ୍ୟଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ତା'ର ନିଷ୍ପତ୍ତି ନେବି। "

କିନ୍ତୁ ଦଳ ଭିତରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, "ରାମାନ୍ନାଙ୍କ ଉଦ୍ଦେଶ୍ୟରେ ମୁଁ କହିବାକୁ ଚାହୁଁଛି ଯେ ଦଳର ଅଫିସ ଭିତରୁ ମୋ ବିରୋଧରେ ମିଛର ପ୍ରଚାର କରାଯାଇଛି। ଏହି ମିଛ ପ୍ରଚାର ସତ୍ତ୍ୱେ ମୋ ନିଜ ଭାଇ ତଥା କାର୍ଯ୍ୟକାରୀ ସଭାପତିଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏଥିରୁ ମୁଁ ମୋ ସ୍ଥିତିକୁ ବୁଝି ଯାଇଛି।"
ନିଜର ସମ୍ପର୍କୀୟ ଭାଇ ହରିଶ ରାଓ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ସହ ମିଶି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା କିବତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, "ଦିଲ୍ଲୀ ଟ୍ରିପ ବେଳେ ହରିଶ ରାଓ ଯେତେବେଳେ ରେଭନ୍ଥଙ୍କ ପାଦ ଛୁଇଁ ଥିଲେ ସେତେବେଳେ ଷଡ଼ଯନ୍ତ୍ରର ମଞ୍ଜି ବୁଣା ଯିବା ଆରମ୍ଭ ହୋଇଥିଲା। ପୂର୍ବରୁ ହରିଶ ରାଓଙ୍କ ସହ ସମ୍ପର୍କ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ସହ ରହିଥିଲା। ହରିଶ ରାଓ ଜଣେ ଡବଲ ଶୁଟର। ସେ ଆଦୌ ଟ୍ରବୁଲ ଶୁଟର ନୁହନ୍ତି।"
ହରିଶ ରାଓଙ୍କ ପାଣ୍ଠିର ଉତ୍ସ ଉପରେ ମଧ୍ୟଳ କବିତା ପ୍ରଶ୍ନ ଉଠାଇଛନ୍ତି। କାଲେଶ୍ୱରମ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିରେ ହରିଶ ରାଓ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଠକେଇରୁ ଆୟ କରିଥିବା ଟଙ୍କା ବଳରେ ବିଧାୟକମାନଙ୍କୁ ନିଜ ଅଧୀନରେ ରଖିଛନ୍ତି। ଏପରି କି ଦଳର ଅନେକ ବରିଷ୍ଠ ନେତାଙ୍କ ବିରୋଧରେ ସେ ଷଡ଼ଯନ୍ତ୍ର କରିଥିଲେ ବୋଲି କବିତା ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କରିଛନ୍ତି।












Click it and Unblock the Notifications