ଜଷ୍ଟିସ ବର୍ମାଙ୍କ ବଢ଼ିଲା ଅଡ଼ୁଆ, ତଦନ୍ତ କମିଟି ଗଠନ କରିବ କେନ୍ଦ୍ର
ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରସ୍ତାବିତ ପ୍ୟାନେଲରେ ସୁପ୍ରିମ୍କୋର୍ଟର ଜଣେ କାର୍ଯ୍ୟରତ ବିଚାରପତି, ହାଇକୋର୍ଟର ଜଣେ ମୁଖ୍ୟ ବିଚାରପତି ଓ ଜଣେ ବିଶିଷ୍ଟ ଆଇନ ବିଶେଷଜ୍ଞ ରହିବେ। ଜଷ୍ଟିସ୍ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ମାମଲାରେ ସୁପ୍ରିମ୍କୋର୍ଟ ପୂର୍ବରୁ ଆଭ୍ୟନ୍ତରୀଣ ତଦନ୍ତ କରି ଦୋଷୀ ସାବ୍ୟସ୍ତ କରିଥିଲେ। ନୂଆ କମିଟି ଅଭିଯୋଗର ପୁନଃସମୀକ୍ଷା କରି ସରକାରଙ୍କୁ ନୂଆ ରିପୋର୍ଟ ପ୍ରଦାନ କରିବ।
ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟ ଓ ମହାଭିଯୋଗ ସୁପାରିସ ବିରୋଧରେ ବର୍ମାଙ୍କ ଆବେଦନର ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଗତକାଲି ଶୁଣାଣି ସମୟରେ ପ୍ରଧାନ ବିଚାରପତି ଗବାଇ କହିଛନ୍ତି ଯେ, ଏହି ମାମଲାରେ ସମ୍ପୃକ୍ତ ହେବା ମୋ ପାଇଁ ଉପଯୁକ୍ତ ହେବ ନାହିଁ, କାରଣ ମୁଁ ପୂର୍ବରୁ ସମ୍ପୃକ୍ତ ପ୍ରକ୍ରିୟାର ଏକ ଅଂଶ ଥିଲି। ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟରେ ଆଭ୍ୟନ୍ତରୀଣ ରିପୋର୍ଟକୁ ଚ୍ୟାଲେଞ୍ଜ କରିଛନ୍ତି। ଜୁଲାଇ ୧୮ ତାରିଖରେ ଜଷ୍ଟିସ୍ ବର୍ମା ସୁପ୍ରିମ୍କୋର୍ଟରେ ଏକ ପିଟିସନ୍ ଦାଖଲ କରି ଆଭ୍ୟନ୍ତରୀଣ କମିଟି ରିପୋର୍ଟ ଓ ମହାଭିଯୋଗ ସୁପାରିସକୁ ରଦ୍ଦ କରିବାକୁ ଦାବି କରିଥିଲେ।
ଏହି ପିଟିସନରେ ଦର୍ଶାଯାଇଛି ଯେ ତାଙ୍କ ଘରେ ନଗଦ ଟଙ୍କା ଆବିଷ୍କାର ବ୍ୟକ୍ତିଗତ ମାଲିକାନା କିମ୍ବା ଦୋଷ ପ୍ରମାଣିତ କରେ ନାହିଁ। ବର୍ମା ତାଙ୍କ ଆବେଦନରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି: ତାଙ୍କ ବାସଭବନର ବାହାର ପରିସରରେ କିଏ ଓ କେବେ ନଗଦ ଟଙ୍କା ରଖିଥିଲା? କେତେ ନଗଦ ଟଙ୍କା ରଖାଯାଇଥିଲା? ମୁଦ୍ରା ଅସଲି ଥିଲା କି? କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ଯାହା ଗଚ୍ଛିତ ସ୍ଥାନକୁ ଉନ୍ମୋଚନ କରିଥିଲା? ମାର୍ଚ୍ଚ ୧୫, ୨୦୨୫ରେ ଅବଶିଷ୍ଟ ନଗଦ ଟଙ୍କା ହଜିବା ପାଇଁ ବିଚାରପତି ଦାୟୀ ଥିଲେ କି?

ଜଷ୍ଟିସ ବର୍ମା ତାଙ୍କ ଆବେଦନରେ ତଦନ୍ତର ବୈଧତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ୧୦ଟି ଯୁକ୍ତି ଉପସ୍ଥାପନ କରିଥିଲେ। ମହାଭିଯୋଗ ସୁପାରିସ ସମ୍ବିଧାନର ଧାରା ୧୨୪ ଓ ୨୧୮କୁ ଉଲ୍ଲଂଘନ କରୁଛି। ଆଭ୍ୟନ୍ତରୀଣ ବ୍ୟବସ୍ଥା ଏକ ପ୍ରଶାସନିକ ପ୍ରକ୍ରିୟା, ସାମ୍ବିଧାନିକ ନୁହେଁ। ବିଧିବଦ୍ଧ ଅଭିଯୋଗ ନ ଥାଇ ଯାଞ୍ଚ ହୋଇ ନ ଥିବା ସୂତ୍ର ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୨ରେ ଏକ ପ୍ରେସ୍ ରିଲିଜ୍ରେ ଅଭିଯୋଗ ପ୍ରକାଶ ପାଇଥିଲା, ଯାହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଥିଲା।
ତାଙ୍କୁ ନିଜର ପକ୍ଷ ରଖିବା କିମ୍ବା ସାକ୍ଷୀଙ୍କୁ ପଚରାଉଚରା କରିବାର ସୁଯୋଗ ଦିଆଯାଇ ନ ଥିଲା। ନଗଦ ଅର୍ଥର ଉତ୍ସ ଓ ସତ୍ୟତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ କମିଟି ଅଣଦେଖା କରିଥିଲା। ଏହି ରିପୋର୍ଟ ଠୋସ୍ ପ୍ରମାଣ ନୁହେଁ, ଅନୁମାନ ଉପରେ ପ୍ରସ୍ତୁତ ହୋଇଥିଲା। ରିପୋର୍ଟ ଦାଖଲ ହେବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ କିମ୍ବା ମହାଭିଯୋଗର ସମ୍ମୁଖୀନ ହେବାକୁ ଚାପ ପକାଯାଇଥିଲା। ପୂର୍ବ ମାମଲା ଭଳି କୌଣସି ବ୍ୟକ୍ତିଗତ ଶୁଣାଣି ହୋଇ ନ ଥିଲା। ରିପୋର୍ଟର କିଛି ଅଂଶ ଲିକ୍ ହେବା ଫଳରେ ଗଣମାଧ୍ୟମରେ ତଥ୍ୟ ବିକୃତ ହୋଇ ପ୍ରକାଶ ପାଇବା ସହ ତାଙ୍କ ଭାବମୂର୍ତ୍ତିକୁ ଅପୂରଣୀୟ କ୍ଷତି ପହଞ୍ଚାଇଛି।
ମୌସୁମୀ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ଜୁଲାଇ ୨୧ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ନିଶ୍ଚିତ କରିଥିଲେ ଯେ, ସରକାର ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ଜୁଲାଇ ୨୧ ସୁଦ୍ଧା ୧୫୨ ଜଣ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ରାଜ୍ୟସଭାରେ ୫୦ରୁ ଅଧିକ ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଖୁବ୍ଶୀଘ୍ର ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି।












Click it and Unblock the Notifications