ଆସନ୍ତାକାଲି JPC ଦାଖଲ କରିବ ୱାକଫ୍ ସଂଶୋଧନ ବିଲ୍ ସଂପର୍କିତ ରିପୋର୍ଟ
ୱାକଫ ସଂଶୋଧନ ବିଲ୍-୨୦୨୪ ଉପରେ ନିଜର ମତାମତକୁ ଯୁଗ୍ମ ସଂସଦୀୟ କମିଟି ଆସନ୍ତାକାଲି ଦାଖଲ କରିବ । କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏହା ଆସନ୍ତାକାଲି ପ୍ରଦାନ କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ୩୧ ଜଣିଆ କମିଟି ବିଲ୍ ସହ ଜଡ଼ିତ ୧୪ଟି ଧାରାରେ ଆସିଥିବା ଆବଶ୍ୟକ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରିଛି । ଗତ ୬ ମାସ ଧରି ଏହି ବିଲ୍ ଉପରେ ବିଭିନ୍ନ ସ୍ତରରେ ବିସ୍ତୃତ ଆଲୋଚନା ହୋଇଛି ।

କମିଟିର ଅଧ୍ୟକ୍ଷ କହିଛନ୍ତି, ଜମିଜମା କାଗଜପତ୍ରର କମ୍ପ୍ୟୁଟରୀକରଣ, ସ୍ୱଚ୍ଛତା ଏବଂ ବେଆଇନଭାବେ ଅଧିକୃତ ୱାକଫ ସମ୍ପତ୍ତିର ପୁନରୁଦ୍ଧାର ପାଇଁ ଆଇନଗତ ବ୍ୟବସ୍ଥା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବା ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ । ସମଗ୍ର ଦେଶରେ ୱାକଫ୍ ସମ୍ପତ୍ତିର ପରିଚାଳନା ଏବଂ ନିୟନ୍ତ୍ରଣରେ ଏହି ସଂଶୋଧିତ ବିଲ୍ ମାଧ୍ୟମରେ ସଂସ୍କାର ଅଣାଯାଇ ପାରିବ । ଅନ୍ୟପକ୍ଷରେ କମିଟିର ବିରୋଧୀ ସଦସ୍ୟମାନେ ଏହି ରିପୋର୍ଟକୁ ଗ୍ରହଣ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଡିଏମକେ ସାଂସଦ ଏ.ରାଜା କହିଛନ୍ତି ତରବରିଆ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଅସନ୍ତୁଷ୍ଟ ନୋଟ୍ ଦାଖଲ କରାଯାଇଥିବା ସୂଚନା ମିଳିଛି ।












Click it and Unblock the Notifications