ଆଜି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ଜେପି ନଡ୍ଡା
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । 27 ତାରିଖ (ଗୁରୁବାର) ସନ୍ଧ୍ୟା 7 ଟା 55 ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଥିଲେ । ସେଠାରୁ ସିଧାସଳଖ କୋଣାର୍କ ଇକୋ ରିସର୍ଟରେ ରହିଥିଲେ ନଡ୍ଡା ।
ଆଜି 10ଟା ବେଳେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । ପରେ 2 ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ । ତାପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ପାଖାପାଖି ଅଢେଇ ଘଣ୍ଟା ରହିବେ ନଡ୍ଡା । ସନ୍ଧ୍ୟା 7 ଟାରେ ବିମାନ ବନ୍ଦର ଯାଇ ଦିଲ୍ଲୀ ଫେରିଯିବେ ।

ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ:
ଫେବୃଆରୀ 28ରେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ
2ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ
ଭୁବନେଶ୍ବର ଫେରି ଅତିଥି ଭବନରେ ରହିବେ
ସନ୍ଧ୍ୟା 7ଟାରେ ଦିଲ୍ଲୀ ଫେରିଯିବେ
ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ:
ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ପରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୋଦି ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ତାଙ୍କ ନେତୃତ୍ୱରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ୩ ମାସ ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ସମ୍ବିଳନୀଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ ଆଦି ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖରେ ପ୍ରଥମ ଥର ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି ।
କିଏ ହେବେ ରାଜ୍ୟ ବିଜେପି ସଭାପତି ? ଚୟନ ପ୍ରକ୍ରିୟା ଡେଡଲାଇନ ପାର ହୋଇସାରିଥିଲେ ସୁଦ୍ଧା ଏଯାଏଁ ଛିଣ୍ଡୁନି ସଭାପତି ଅଙ୍କ । ଏହାରି ଭିତରେ 37 ଟି ସାଂଗଠନିକ ଜିଲ୍ଲା ସଭାପତିରୁ 36ଟି ଘୋଷଣା ହୋଇସାରିଛି । ସେପଟେ ବିଜେପି ସରକାରକୁ 8 ମାସ ପୂରିବା ପରେ ନିଗମ ଓ ପରିଷଦ ମୁଖିଆଙ୍କ ନାମ ଘୋଷଣା ହୋଇଛି । ରାଜ୍ୟରେ ବିଜେପି ସରକାରକୁ ୮ ମାସ ପୂରିବାକୁ ବସିଲାଣି । ଚୟନ ପ୍ରକ୍ରିୟା ଡେଡଲାଇନ ପାର ହୋଇଯାଇଥିଲେ ସୁଦ୍ଧା ଏଯାଏ ନୂଆ ରାଜ୍ୟ ସଭାପତିଙ୍କୁ ବାଛି ପାରିନି ବିଜେପି । ଏହି ରେସରେ ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସେ ନିଜେ ବ୍ରେକ ଲଗାଇଛନ୍ତି ।
ଦଳର ନିୟମ ଅନୁଯାୟୀ ଜଣେ ଲଗାତର ୨ ଥର ଏହି ପଦବୀରେ ବସିପାରିବେ ଏହାପରେ ବ୍ରେକ ନେଇ ଆଉ ଥରେ ହୋଇପାରିବେ ବୋଲି ମନମୋହନ ସାମଲ ସ୍ପଷ୍ଟ କରିଥିଲେ । ଦଳ ଭିତରେ ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ଫେବୃଆରୀ ସୁଦ୍ଧା ରାଜ୍ୟ ସଭାପତି ପଦବୀ ପୂରଣ ହେବ ବୋଲି ଆଗରୁ କହିଥିଲେ ବିଜେପି ନେତୃତ୍ୱ । ତେବେ ନଡ୍ଡାଙ୍କ ଏହି ଗସ୍ତ ସମୟରେ ରାଜ୍ୟ ସଭାପତି ପଦବୀରେ ମୋହର ବାଜିବ ବୋଲି ଆଲୋଚନା ଜୋର ଧରିଛି ।












Click it and Unblock the Notifications