Jhansi Hospital Fire: ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେବା ଦାବିରେ ଡାକ୍ତରଖାନା ବାହାରେ ଅଭିଭାବକଙ୍କ ଧାରଣା
ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ପିଲାମାନଙ୍କୁ ଭେଟିବାକୁ ଅନୁମତି ନ ମିଳିବାରୁ ସେମାନଙ୍କ ବାପାମାଆ ଏବଂ ପରିବାରବର୍ଗ ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ରାସ୍ତାରୋକ କରିଛନ୍ତି।
ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେବା ଦାବିରେ ସେମାନେ ଏହି ପ୍ରତିବାଦ କରିଛନ୍ତି। ସେପଟେ ଶିଶୁମାନଙ୍କ ପରିଚୟକୁ ନେଇ ଯେପରି କୌଣସି ଦ୍ୱନ୍ଦ୍ୱ ନ ଉପୁଜେ ସେଥିପାଇଁ ଅଭିଭାବକଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୟୁପିର ଝାନ୍ସୀ ରାଣୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ମୋଟ୍ ୧୦ ଜଣ ନବଜାତ ଶିଶୁଙ୍କ ଜୀବନ ଯାଇଛି ।

ମୃତକଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବି ୩ ଜଣ ମୃତ ଶିଶୁଙ୍କୁ ଚିହ୍ନଟ କରାଯାଇନାହିଁ l ଚିହ୍ନଟ ହୋଇନଥିବା ମୃତ ଶିଶୁଙ୍କ ଡିଏନଏ ପରୀକ୍ଷା କରାଯାଇ ଚିହ୍ନଟ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି l ତେବେ ପ୍ରାଥମିକ ଯାଞ୍ଚରୁ ଅକ୍ସିଜେନ୍ କନସେନଟ୍ରେଟରରୁ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ସେପଟେ ଅଗ୍ନିକାଣ୍ଡ ପରେ ମେଡିକାଲରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି l












Click it and Unblock the Notifications